ଖୋର୍ଦ୍ଧା: ୧୫ ବର୍ଷ ପୂର୍ବେ ରାଜ୍ୟସରକାର ପ୍ରତି ଜିଲ୍ଲାର ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଏହି ପ୍ରତିଶ୍ରୁତି ଏଯାଏଁ ପାଳିତ ହୋଇନାହିଁ। ଜିଲ୍ଳାର ୧୦ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ଜଳସେଚିତ ଚାଷ ଜମିର ପରିମାଣ ୩୦ ପ୍ରତିଶତରୁ କମ ଅଟେ।
ଜିଲ୍ଲା କୃଷି ବିଭାଗର ୨୦୨୨-୨୩ର ତଥ୍ୟାନୁସାରେ, ଜିଲ୍ଲାରେ ଉଭୟ ଖରିଫ ଓ ରବି ଋତୁରେ ମୋଟ ୧ଲକ୍ଷ ୬ହଜାର ୫୦ ହେକ୍ଟର ଚାଷ ଜମିରେ ଧାନ ଓଅନ୍ୟାନ୍ୟ ଫସଲ ଚାଷହୋଇଥାଏ। ଏହା ମଧ୍ୟରୁ ପ୍ରାୟ ୯୦ହଜାର ହେକ୍ଟରରେ ଧାନ ଚାଷ ହୋଇଥାଏ। ଏହା ମଧ୍ୟରୁ ୫୩ ହଜାର ୬୫୮ ହେକ୍ଟର ଚାଷ ଜମି ପାଇଁ କେବଳ ବର୍ଷା ଜଳ ଭରସା। ସେହିଭଳି ଅଣଧାନ ଚାଷ ହେଉଥିବା ୧୪ହଜାର ୧ଶହ ହେକ୍ଟର ଜମି ମଧ୍ୟରୁ ୮୪୦୩ ହେକ୍ଟର ବର୍ଷା ଜଳ ଉପରେ ନିର୍ଭରଶୀଳ ଥିବା ବେଳେ ୫୬୯୭ ହେକ୍ଟର ଜମିକୁ କେନାଲ୍, ଉଠାଜଳସେଚ କେନ୍ଦ୍ର ଆଦି ଦ୍ବାରା ଜଳ ସେଚନ କରାଯାଉଛି। ଅର୍ଥାତ୍ମୋଟ ଧାନ ଚାଷ ହେଉଥିବା ଜମିର ୫୯ ପ୍ରତିଶତ କ୍ଷେତକୁ ଜଳସେଚନର ସୁବିଧା ନଥିବା ବେଳେ ଅଣଧାନ ଚାଷ ଜମିର ୬୦ ପ୍ରତିଶତ କ୍ଷେତ ପାଇଁ ବର୍ଷା ଜଳ ହିଁ ଏକମାତ୍ର ଭରସା ଅଟେ। ଏହି ଆକଳନରେ ଜିଲ୍ଲରେ ୪୧ ପ୍ରତିଶତ ଧାନ ଚାଷ ହେଉଥିବା ଜମି ଓ ୪୦ ପ୍ରତିଶତ ଅଣଧାନ ଚାଷ ହେଉଥିବା ଜମିକୁ ଜଳସେଚନର ସୁବିଧା ରହିଛି। ତେବେ ବ୍ଲକୱାରୀ ତଥ୍ୟର ଅନୁଶୀଳନ କରାଗଲେ ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ବର ଓ ବାଣପୁର ବ୍ଳକ ବ୍ୟତୀତ ଅନ୍ୟ ବ୍ଲକରେ ୩୫ ପ୍ରତିଶତ ଚାଷ ଜମିକୁ ଜଳ ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ।
ଖୋର୍ଦ୍ଧା ବ୍ଲକରେ ମୋଟ ୧୪ ହଜାର ୫୦୫ ହେକ୍ଟର ଜମିରୁ ୨୭୦୫ ହେକ୍ଟର ଜମି ଅର୍ଥାତ୍ ୧୮ ପ୍ରତିଶତ ଜମିକୁ ଜଳସେଚନ କରାଯାଇପାରିଛି। ବେଗୁନିଆ ବ୍ଲକରେ ୧୬ ହଜାର ୫୩୫ ହେକ୍ଟର ଚାଷ ଜମିରୁ ୩୨୩୫ ହେକ୍ଟର ଚାଷ ଜମି ଅର୍ଥାତ୍ ୧୯ ପ୍ରତିଶତ, ବୋଲଗଡ଼ ବ୍ଲକର ମୋଟ ୧୫ହଜାର ୮୦୫ ହେକ୍ଟର ଚାଷ ଜମିରୁ ୪୬୨୦ ହେକ୍ଟର ( ୨୯ ପ୍ରତିଶତ), ଚିଲିକା ବ୍ଲକରେ ୧୭୮୧ ହେକ୍ଟର ଅଣଧାନ ଚାଷ ଜମିରୁ ୧୨୪୩ ହେକ୍ଟର ଜମିକୁ ଜଳସେଚନ ହୋଇପାରିନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାଳିଆ ଡ୍ୟାମ ନିକଟବର୍ତୀ ବାଣପୁର ବ୍ଲକରେ ଖରିଫ ଋତୁରେ ଧାନ ଫସଲକୁ ପର୍ଯ୍ୟାପ୍ତ ପାଣି ମିଳୁଥିବା ବେଳେ ରବି ଋତୁରେ ହେଉଥିବା ଅଣଧାନ ଫସଲ ହେଉଥିବା କ୍ଷେତକୁ ପାଣି ମିଳିପାରୁନାହିଁ। ତଥ୍ୟାନୁସାରେ, ୧୯୪୮ ହେକ୍ଟର ଅଣଧାନ ଚାଷ ଜମି ମଧ୍ୟରୁ ୧୬୬୮ ହେକ୍ଟର ଜମିକୁ ଜଳ ସେଚନ ହୋଇପାରିନାହିଁ।
ଜିଲ୍ଲାରେ ଅନାବୃଷ୍ଟି ଓ କମ୍ବୃଷ୍ଟିପାତ ଯୋଗୁଁ ୨୦୧୪ରେ ୧୫ଟି ଗାଁର ୬୪୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା। ୨୦୧୫ରେ ଏହା ବୃଦ୍ଧି ପାଇ ୯୨୫ ଗାଁର ୬୦ ହଜାର ୭୫୦ ହେକ୍ଟର ଓ ୨୦୧୭ରେ ୩ଟି ପଞ୍ଚାୟତର ୨୩ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ୫ଟି ବ୍ଲକରେ ୧୨ ହଜାର ହେକ୍ଟରରୁ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗର ଦ୍ବିତୀୟ ପର୍ଯ୍ୟାୟ ଆକଳନରୁଜଣାପଡ଼ିଛି।