ଛାତ୍ରଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ: ଜୁଲାଇ ୨୬ରେ ନିଟ୍, ୧୮ରୁ ଜେଇଇ ମେନ୍
ଆଇଆଇଟି, ଟ୍ରିପଲଆଇଟି ଓ ଏନଆଇଟି ଶୁଳ୍କ ବୃଦ୍ଧି ହେବନି
ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ନ୍ୟାସନାଲ ଏଲିଜିବୁଲ୍ କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮, ୨୦, ୨୧, ୨୨ ଓ ୨୩ ତାରିଖରେ ହେବ। ଦେଶରେ ଥିବା ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଜେଇଇ(ଆଡଭାନ୍ସ) ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇ ନଥିଲେ ମଧ୍ୟ ଅଗଷ୍ଟ ମାସରେ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ। ୟୁଜିସି ନିଟ୍ ୨୦୨୦ ଓ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ୟୁଜିସି ନିଟ୍, ଜେଇଇ(ଆଡଭାନ୍ସ), ସିବିଏସଇ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା ଖୁବଶୀଘ୍ର
ଆଜି ଏକ ୱେବିନାର ଜରିଆରେ ସାରା ଦେଶରୁ ଛାତ୍ରଛାତ୍ରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ପୋଖରିୟାଲ ଆଲୋଚନା କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସ୍କୁଲ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଶିକ୍ଷା ବର୍ଷ, ଅନ୍ଲାଇନ୍ ଶିକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ବୃତ୍ତି ଆଦି ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଓ ଆଶଙ୍କାର ସମାଧାନ କରିଥିଲେ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଶ୍ରୀ ପେଖରିୟାଲ କହିଥିଲେ ଯେ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢ଼ାକୁ ନେଇ ଶାନ୍ତ ଓ ଏକାଗ୍ର ରହିବା ଆବଶ୍ୟକ। ପାଠପଢ଼ା ସମୟରେ ମଝିରେ ମଝିରେ ବିରତି ନେବା ଉଚିତ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ୱେବସାଇଟ୍ର ‘https://nta.ac.in/LecturesContent’ ଲିଙ୍କକୁ ଯାଇ ଛାତ୍ରଛାତ୍ରୀ ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥମେଟିକ୍ସ ଓ ବାୟୋଲୋଜି ଅଧ୍ୟୟନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସ୍ୱୟଂପ୍ରଭା ଡିଟିଏଚ୍ ଚାନେଲ ସମେତ, ସ୍ୱୟଂପ୍ରଭାର ଆଇଆଇଟି ପାଲ, ଦୀକ୍ଷା, ଇ-ପାଠଶାଳା, ନ୍ୟାସନାଲ ଡିଜିଟାଲ ଲାଇବ୍ରେରି, ସ୍ୱୟଂ, ଇ-ପିଜି ପାଠଶାଳା, ଶୋଧଗଙ୍ଗା, ଇ-ଶୋଧସିନ୍ଧୁ, ଇ-ଯନ୍ତ୍ର, ସ୍ପୋକନ୍ ଟ୍ୟୁଟୋରିଆଲ ଓ ଭର୍ଚୁଆଲ ଲାବ ଭଳି ପ୍ଲାଟଫର୍ମର ସୁବିଧା ପ୍ରଦାନ କରାଯାଉଛି।
ଗ୍ରାମାଞ୍ଚଳରେ ନେଟ୍ୱର୍କ ନଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂକ୍ରାନ୍ତରେ ମନ୍ତ୍ରୀ କହିଥିଲେ ଯେ ଟାଟା ସ୍କାଏ, ଏୟାରଟେଲ, ଡିଡି ଡିଟିଏଚ, ଡିସ ଟିଭି ଓ ଜିଓ ଟିଭି ଆପରେ ସ୍ୱୟଂପ୍ରଭା ଚ୍ୟାନେଲ ପ୍ରସାରଣ କରିବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ସହଭାଗିତା କରାଯାଇଛି। ସ୍ୱୟଂପ୍ରଭା ଗ୍ରୁପ୍ ଜରିଆରେ ୩୨ଟି ଡିଟିଏଚ୍ ଚାନେଲ ମାଧ୍ୟମରେ ବିଭିନ୍ନ ବିଷୟରେ ଉନ୍ନତମାନର ଶିକ୍ଷାଦାନ ବିଷୟବସ୍ତୁ ପ୍ରସାରଣ କରାଯାଉଛି। ଶୁଳ୍କ ବୃଦ୍ଧି ସଂକ୍ରାନ୍ତରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏନ୍ଆଇଟି, ଆଇଆଇଟି ଓ ଟ୍ରିପଲ୍ ଆଇଟିରେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ। ନବୋଦୟ ବିଦ୍ୟାଳୟଗୁଡ଼ିକର ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟ ଏବଂ ଘରକୁ ପଠାଇବାର କାର୍ଯ୍ୟ ଆରମ୍ଭ ହୋଇସାରିଛି। ୧୭୩ଟି ବିଦ୍ୟାଳୟ ମଧ୍ୟରୁ ୬୨ଟି ବିଦ୍ୟାଳୟ ଏହି ପ୍ରକ୍ରିୟା ଆରମ୍ଭ କରିସାରିଲେଣି।
ମନ୍ତ୍ରୀ ଆହୁରି କହିଥିଲେ ଯେ ସିବିଏସ୍ଇ ପକ୍ଷରୁ କେବଳ ଶ୍ରେଣୀ ଉତ୍ତୀର୍ଣ୍ଣ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖା ନିମନ୍ତେ ମୁଖ୍ୟ ବିଷୟଗୁଡ଼ିକରେ ବୋର୍ଡ ପରୀକ୍ଷା କରାଯିବ। ଏପ୍ରିଲ୍ ୧ରେ ସିବିଏସ୍ଇ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ୨୯ଟି ବିଷୟର ବିବରଣୀ ଦିଆଯାଇଛି। ଏ ସଂକ୍ରାନ୍ତରେ ବାକି ସୂଚନା ବୋର୍ଡର ୱେବସାଇଟ୍ http://cbse.nic.in/’ରେ ଉପଲବ୍ଧ ରହିଛି। ବିଭିନ୍ନ ରାଜ୍ୟ/କ୍ଷେତ୍ରରେ କୋଭିଡ୍-୧୯ ମହାମାରୀ ସଂକ୍ରମଣ ସ୍ଥିତି, ଛାତ୍ରଛାତ୍ରୀଙ୍କ ବାସସ୍ଥାନ ତଥା ପ୍ରସ୍ତୁତିର ସ୍ତରକୁ ବିସ୍ତୃତ ଭାବେ ଆକଳନ କରିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟମ ସେମିଷ୍ଟର୍ ଓ ବାର୍ଷିକ ସେମିଷ୍ଟର୍ ଆୟୋଜନ କରିପାରିବେ। ଏହା ସମ୍ଭବ ନହେଲେ ଅନ୍ତରୀଣ ମୂଲ୍ୟାୟନ ଆଧାରରେ ୫୦% ଏବଂ ପୂର୍ବ ସେମିଷ୍ଟର୍ (ଅନୁଷ୍ଠିତ ହୋଇଥିଲେ) ଆଧାରରେ ୫୦% ଆଧାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇପାରିବ। କୌଣସି ବିଷୟରେ ଅଧିକ ନମ୍ବର ରଖିବାକୁ ଚାହୁଥିଲେ, ଛାତ୍ରଛାତ୍ରୀ ପରବର୍ତ୍ତୀ ସେମିଷ୍ଟର୍ରେ ସେହି ବିଷୟରେ ପରୀକ୍ଷା ଦେଇପାରିବେ। ଟର୍ମିନାଲ ସେମିଷ୍ଟର୍/ବାର୍ଷିକ ପରୀକ୍ଷା ଜୁଲାଇ ୧ରୁ ୧୫ମଧ୍ୟରେ ଏବଂ ମଧ୍ୟମ ସେମିଷ୍ଟର୍ ଜୁଲାଇ ୧୬ରୁ ୩୧ମଧ୍ୟରେ ଅନୁଷ୍ଠିତ ହେବ।