୧୪ ଦିନରେ ଖରଭୂଇଁ ପଥର କ୍ବାରୀ ଓ କ୍ରସର ବିରୋଧୀ ଆନ୍ଦୋଳନ

କଳା ବେଲୁନ୍ ଉଡ଼ାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ

ବୌଦ୍ଧ: ସାରା ଦେଶର ଛାତ୍ରଛାତ୍ରୀ ଶିଶୁ ଦିବସ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ଖରଭୂଇଁ ଗ୍ରାମର ଛାତ୍ରଛାତ୍ରୀ ଜୀବନ ଓ ଜୀବିକା ପାଇଁ ବାପା ମା’ଙ୍କ ସହ ମିଶି ଆନ୍ଦୋଳନ କରୁଛନ୍ତି। ୧୪ ଦିନ ହେଲା ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ସେମାନେ ବସୁଛନ୍ତି। ସୋମବାର ହାତରେ କଳା ବେଲୁନ୍‌ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିଶୁ ଦିବସ ପାଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପଥର କ୍ୱାରୀ ଓ କ୍ରସର ନ ଉଠିଲେ ପାଠ ପଢ଼ିବୁ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନଧି ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି କଂଗ୍ରେସ ଦଳ ଏହି ଆନ୍ଦୋଳନ ସହ ରହିବ ବୋଲି ଘୋଷଣା କରିଛନ୍ତି।

ପୂର୍ବରୁ ବିଜେପି ସମର୍ଥନ ଜଣାଇଥିବା ବେଳେ ଏବେ କଂଗ୍ରେସ ସମର୍ଥନ ପରେ ଆନ୍ଦୋଳନକାରୀଙ୍କ ମନୋବଳ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ଆଜିର ଆନ୍ଦୋଳନରେ ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ, ସମ୍ପାଦକ ହୃଦାନନ୍ଦ ଦେହୁରୀ, ଅନିଲ ପ୍ରଧାନ, ମୋହନ ଦେହୁରୀ, ରଞ୍ଜନ ବଗର୍ତ୍ତୀ, ବିଷ୍ଣୁ ରଣା, ସାଗର କହଁର, ସୁଶୀଳ ନାୟକ, ଶମ୍ଭୁ ବେହେରା, ବିଷ ଦେହୁରୀ, ଅଭିମନ୍ୟୁ ବଗର୍ତ୍ତୀ, କୁନା ପାତ୍ର, ଅଜିତ ପ୍ରଧାନ, ସୁନିତା ପ୍ରଧାନ, ତିଳୋତ୍ତମା କହଁର, ସତ୍ୟଭାମା ନାୟକ, ଶୋଭାଗିନୀ ଭୋକ୍ତା, ସୁଚିତ୍ରା ରଣା, ତରଙ୍ଗିଣୀ ଦେହୁରୀ, ନଳିନୀ ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର