୨୧ରେ ଶ୍ରୀମନ୍ଦିର କର୍ପସ୍‌ ପାଣ୍ଠିର ଟେଣ୍ଡର, ଭାଗନେବେ ୧୦ ବ୍ୟାଙ୍କ

ପୁରୀ: ଚଳିତବର୍ଷ କର୍ପସ୍‌ ପାଣ୍ଠି ବାବଦକୁ ମିଳିଥିବା ୧୧ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ମନ୍ଦିର ପ୍ରଶାସନ ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଚିଠି କରିଛି। ଜାନୁଆରି ୨୧ ପୂର୍ବାହ୍ଣ ୧୧ଟାରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ବ୍ୟାଙ୍କ ଅଧିକ ସୁଧ ଦେବେ, ସେଠାରେ କର୍ପସ୍‌ ପାଣ୍ଠି ସ୍ଥାୟୀ ଜମା(ଫିକ୍ସଡ୍‌ ଡିପୋଜିଟ୍‌) ରଖାଯିବ ବୋଲି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

ଶ୍ରୀ ଜେନାଙ୍କ ସୂଚନା ମୁତାବକ, ମହାପ୍ରଭୁଙ୍କ ଜମିଜମା ବାବଦରୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମିଳୁଥିବା ଟଙ୍କା କର୍ପସ୍‌ ପାଣ୍ଠିରେ ରଖାଯାଇଥାଏ। ‌ସେ ବ୍ୟକ୍ତିଗତ ବିକ୍ରିବଟା ହେଉ କି କମ୍ପାନି ବା ସରକାରୀ ଜମି ଅଧିଗ୍ରହଣ, ଏ ବାବଦ ସମସ୍ତ ଟଙ୍କା କର୍ପସ୍‌ ପାଣ୍ଠିରେ ଜମା ରହିଥାଏ। ଗତବର୍ଷ ମାର୍ଚ ସୁଦ୍ଧା ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ୨୫୯ କୋଟି ଟଙ୍କା ଥିଲା। ଏହାକୁ ବିଭିନ୍ନ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯାଇଛି। ଏ ବର୍ଷ ୧୧ କୋଟି ଟଙ୍କା ଜମିଜମା ବାବଦରୁ ଆସିଥିବାବେଳେ ସ୍ଥାୟୀ ଜମା ପୂର୍ବରୁ ଟେଣ୍ଡର ଆହ୍ବାନ କରାଯାଇଛି।

ଯେଉଁ ବ୍ୟାଙ୍କ ସ୍ଥାୟୀ ଜମା ବାବଦ ଅଧିକ ସୁଧ ହାର ଦେବେ, ସେହି ବ୍ୟାଙ୍କରେ ୧୧ କୋଟି ଟଙ୍କା ଜମା ରଖାଯିବ। ଅର୍ଥ କମିଟିରେ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଗତବର୍ଷ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି ଜମାକୁ ନେଇ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ୟେସ୍‌ ବ୍ୟାଙ୍କରେ ଜମା ରଖିଥିବା ୫୯୨ କୋଟି ଟଙ୍କା ଉଠାଇବାକୁ ବାଧ୍ୟ ହୋଇଥିଲା। ୟେସ୍‌ ବ୍ୟାଙ୍କରୁ ଉଠାଯାଇଥିବା ୫୯୨ କୋଟି ଟଙ୍କା ଓ ନିଜସ୍ବ ପାଣ୍ଠି(ସରପ୍ଲସ୍‌) ବାବଦ ୧୦ କୋଟି ଟଙ୍କା, ଏପରି ମୋଟ ୬୦୨ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରି ଏହାକୁ ବିଭିନ୍ନ ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିଲା ଶ୍ରୀମନ୍ଦିର ପ୍ରଶାସନ।

ଟେଣ୍ଡର ପ୍ରକ୍ରିୟା ପରେ ହୁଣ୍ଡି ଟଙ୍କା ବା ମୂଳ ପାଣ୍ଠି ବାବଦ ୧୦୬ କୋଟି ଟଙ୍କା ଏସ୍‌ବିଆଇ ପୁରୀର ମୁଖ୍ୟ ଶାଖାରେ ସ୍ଥାୟୀ ଜମା ରଖାଯାଇଛି। ସେହିଭଳି ୨୫୯ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ପୁରୀ ଶାଖା ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦାରେ ସ୍ଥାୟୀ ଜମା ରଖାଯାଇଛି। ଶ୍ରୀମନ୍ଦିର ନିଜସ୍ବ ପାଣ୍ଠି ବାବଦ ୨୪୦ କୋଟି ଟଙ୍କାରୁ ୪୨ କୋଟି ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା ରଖାଯାଇଛି। ବାକି ଟଙ୍କା ବ୍ୟାଙ୍କ ଅଫ୍ ବରୋଦାରେ ଜମା ରଖାଯାଇଛି।

ସମ୍ବନ୍ଧିତ ଖବର