ପୁରୀ: ଚତୁର୍ଦ୍ଧା ବିଗ୍ରହ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି। କିନ୍ତୁ ସେଇଦିନ ଆଡ଼ପମଣ୍ଡପ ବିଜେ କରିପାରନ୍ତି ନାହିଁ। ତେବେ ରଥାରୂଢ଼ ମହାପ୍ରଭୁଙ୍କୁ ରଥ ଉପରେ ଅବସ୍ଥାନ କରିଥିବା ସମୟରେ ଅନ୍ନଭୋଗ ଲାଗି ହୁଏନାହିଁ। କେବଳ ଶୁଖିଲା ଭୋଗ ଲାଗି ହୁଏ। ବିଭିନ୍ନ ଧୂପରେ ମହାପ୍ରଭୁଙ୍କୁ ପ୍ରସାଦରେ ଆପ୍ୟାୟିତ କରାଯାଏ। ଗୋପାଳବଲ୍ଲଭଠାରୁ ଆରମ୍ଭ କରି ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ଧୂପରେ ବଲ୍ଲଭ, ଖଇ, କୋରା, ଶର୍କରା ଆଦି ଭୋଗ ହୁଏ। ବଡ଼ଦାଣ୍ଡରେ ଯେଉଁଠି ଧୂପର ସମୟ ହୁଏ ସେଠାରେ ଶ୍ରୀମନ୍ଦିରରୁ ସ୍ବତନ୍ତ୍ର ଆକାରର ରଥକୋରା ପ୍ରସ୍ତୁତ ହୋଇ ଆସି ଭୋଗ କରାଯାଏ। ମହାସୁଆରମାନେ ରଥ ଉପରେ ଭୋଗ ପନ୍ତିରେ ବାଢ଼ନ୍ତି। ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଧୂପ ପୂଜା କରିଥାଆନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ପୂର୍ବରୁ ରଥରେ ବିଭିନ୍ନ ଧୂପ ସମୟରେ ଭିନ୍ନଭିନ୍ନ ଶୁଖିଲା ଭୋଗ ହେଉଥିଲା।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଭୋଗମାନ ହେଉଛି, ବଡ଼ ସାନ ମନୋହର, ପଶୁପାଳକ କାକରା, ତାଟ ବାବଦ ନାଡ଼ି, ଗଜା, ଟାକୁଆ, ଫେଣି, କାକରା, ଡାଳିମ୍ବା, ଟାକୁଆ ସାନସରା, ସୁଆର ନଡ଼ୁ, କାକରା ଆଦି ଭୋଗ ହୁଏ। ଏହା ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ହେଉଥିବା ଭୋଗ ମଧ୍ୟରେ କୋରା, ଖଇ, ବଡ଼କାକରା, ଉଠାକାକରା, ମହାପ୍ରଶସ୍ତ ମନହର, ବଡ଼ଅମାଲୁ, ସାନଅମାଲୁ, ଝଡ଼େଇ ନେଦା, ମାଣ୍ଡୁଅ, ଟାକୁଆ, ଟାକୁଆ ବଡ଼ସରା, ରଥ ମନହର, ମରିଚ ନଡ଼ୁ ଆଦି ଭୋଗ ହେବାର ବିଧି ଚଳି ଆସୁଥିଲା। ସଂପ୍ରତି ପରମ୍ପରା ଅନୁଯାୟୀ ବିଭନ୍ନ ପ୍ରକାରର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡ଼ିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥ ଉପରେ ଲାଗି ହେଉଛି।