‘ଗାନ୍ଧୀଙ୍କ ତିରୋଧାନ ଦିବସରେ ଓଡ଼ିଶାକୁ ନିଶାମୁକ୍ତ ଘୋଷଣା କର’, ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଲେ ନିରଞ୍ଜନ

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳିବ କଂଗ୍ରେସ

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସହ ନିଶା ନିବାରଣ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ପ୍ରତି ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି, ତେବେ ଗାନ୍ଧୀଜୀଙ୍କର ତିରୋଧାନ ଦିବସ ଅର୍ଥାତ ଜାନୁଆରି ୩୦ ତାରିଖରେ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ଯେ ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍କଳ ପ୍ରଦେଶ କମିଟି ଗଠିତ ହୋଇଥିଲା। ଏହାର ପ୍ରଥମ ସଭାପତି ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସେହି ବର୍ଷ ହିଁ ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରଥମେ ଓଡ଼ିଶାକୁ ଆସିଥିଲେ। ମହାତ୍ମା ଗାନ୍ଧୀ ମୋଟ୍‌ ୮ ଥର ଓଡ଼ିଶା ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନ ଓ ଉତ୍କଳ କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତିକୁ ଧୁମ୍‌ଧାମ୍‌ରେ କଂଗ୍ରେସ ବର୍ଷ ତମାମ ପାଳନ କରିବ। ଦେଶର ସ୍ବାଧୀନତା ସଂଗ୍ରାମ, ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁଙ୍କ ଜୀବନୀ ଓ ବଳିଦାନ, ଦେଶର ବିକାଶରେ କଂଗ୍ରେସର ଅବଦାନ ଇତ୍ୟାଦି ଉପରେ ବର୍ଷ ତମାମ ଆଲୋଚନାଚକ୍ର, ପଦଯାତ୍ରା, ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯିବ।

ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଚୂଡ଼ାନ୍ତ ରୂପ‌େରଖ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ମଧ୍ୟ ଗାନ୍ଧୀଙ୍କ ଏହି ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଉଭୟ ରାଜ୍ୟ ସରକାର ଓ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ, ସେଥିରେ କଂଗ୍ରେସ ଦଳ ସାମିଲ ହେବାକୁ ଆହ୍ବାନ ଦେବା ସହିତ ଏହାକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର