କଟକ: ପ୍ରଚଣ୍ଡ ‌ରୌଦ୍ରତାପ ଓ ତାତି ଜନଜୀବନକୁ କଲବଲ କଲାଣି। ପ୍ରବଳ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି। ମଧ୍ୟାହ୍ନ ୧୨ଟା ବେଳକୁ ବଜାର ଘ‌ାଟ ଶୂନଶାନ୍‌। ସନ୍ଧ୍ୟା ପର୍ଯ୍ୟନ୍ତ ଅସହ୍ୟ ତାତି। ମାତ୍ର ଏହି ପ୍ରଚଣ୍ଡ ରୌଦ୍ରତାପ ଓ ତାତିରେ କିଶୋର କ୍ରିକେଟ୍‌ ଖେଳାଳି (୧୬ ବର୍ଷରୁ କମ୍‌) ଦିନ ସାରା ଖରାରେ ଶିଝୁଛନ୍ତି। ପଡ଼ିଆରେ କ୍ରିକେଟ ଖେଳୁଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍(ଓସିଏ) ମଧ୍ୟ ଏ ଦିଗ ପ୍ରତି ଦୃଷ୍ଟି ଦେଇ ମ୍ୟାଚ୍‌କୁ ସ୍ଥଗିତ ରଖୁ ନାହିଁ କି ଏହାର ବିକଳ୍ପ ଆୟୋଜନ କରୁ ନଥିବାରୁ ବିଭିନ୍ନ ଜିଲ୍ଲାରୁ କ୍ରିକେଟ୍‌ ଖେଳିବାକୁ ଆସିଥିବା ଖେଳାଳିଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପିଲାଙ୍କ କ୍ରିକେଟ୍‌ କ୍ୟାରିୟର୍‌କୁ ନେଇ ଚିନ୍ତିତ ଅଭିଭାବକମାନେ ସିଧାସଳଖ ଓସିଏ ବିରୋଧରେ ପ୍ରତିବାଦ କରିବାକୁ ସାହସ କରୁ ନଥିବା ବେଳେ ଦିନ ତମାମ୍‌ ଏ ଖରାରେ ନିଜ ପିଲାଙ୍କୁ ପଡିଆରେ ଖେଳୁଥିବା ଦେଖି ଚିନ୍ତିତ ହୋଇପଡିଛନ୍ତି। ଏପରିକି ଏଭଳି ଖରାରେ ମ୍ୟାଚ୍‌ ଆୟୋଜନକୁ ଅମ୍ପାୟାର୍‌ମାନେ ମଧ୍ୟ ନାପସନ୍ଦ କରିଛନ୍ତି।

Advertisment

ଚଳିତବର୍ଷ ଖରାଦିନ ସାରା ଓସିଏ ବିଭିନ୍ନ ଘରୋଇ ମ୍ୟାଚ୍‌ ଆୟୋଜିତ କରିଛି। ଗତ କିଛିଦିନ ଧରି କଳାହାଣ୍ଡି କପ୍ ଚାଲିଥିବା ବେଳେ ଏବେ କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ୧୬ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍‌ ମ୍ୟାଚ୍‌ର ଆୟୋଜନ କରାଯାଉଛି। ୧୬ ବର୍ଷରୁ କମ୍ କ୍ରିକେଟ୍‌ରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ରହିଛନ୍ତି। କଟକର ବିଡ଼ାନାସୀ, ସନ୍‌ସାଇନ୍, ନିମପୁର, ଭୁବନେଶ୍ବର ଟାଉନ୍ କ୍ଲବ୍‌, କଟକର ଅଡ଼ଶପୁର ଓ ରେଭେନ୍‌ସା ପଡିଆରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି। ସମସ୍ତ ମ୍ୟାଚ୍‌ ୫୦ ଓଭର୍‌ବିଶିଷ୍ଟ ଦିନିକିଆ ଫର୍ମ‌‌ାଟ୍‌ରେ ଅନୁଷ୍ଠିତ ହେଉଥିବାରୁ ପ୍ରତିଦିନ ୧୦୦ ଓଭର୍‌ ଖେଳ ହେଉଛି। ଅର୍ଥାତ ଦିନତମାମ୍‌ ଏହି ମ୍ୟାଚ୍ ଚାଲିଛି। ମ୍ୟାଚ୍ ଦାୟିତ୍ବ‌ରେ ଥିବା କର୍ମଚାରୀ, ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିବା ଖେଳାଳି, ଅମ୍ପାୟାର୍‌ ପ୍ରଚଣ୍ଡ ତାତିରେ ବାଧ୍ୟ ‌ହୋଇ ପଡ଼ିଆରେ ରହୁଛନ୍ତି। ମ୍ୟାଚ୍‌ଗୁଡିକୁ ଦିବାରାତ୍ର କିମ୍ବା ୨୦ ଓଭର୍‌ବିଶିଷ୍ଟ କରି ସକାଳ ଓ ଅପରାହ୍ନରେ ମ୍ୟାଚ୍ ଆୟୋଜନ କରାଗଲେ ପିଲାମାନେ ଏହି ରୌଦ୍ରତାପରୁ ରକ୍ଷା ପାଇପାରନ୍ତେ ବୋଲି ଅଭିଭାବକମାନେ ପ୍ରସ୍ତ‌ାବ ରଖିଛନ୍ତି। ଆସନ୍ତାକାଲି ଠାରୁ ଡ୍ରିମ୍‌ସ୍‌ ଷ୍ଟାଡିୟମ୍‌ରେ ଓଡ଼ିଶା ଟି-ଟ୍ବେଣ୍ଟି ପ୍ରିମିୟର୍‌ ଲିଗ୍ ମଧ୍ୟ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ‌ଷ୍ଟାଡିୟମ୍‌ରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌କୁ ନେଇ ମଧ୍ୟ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମ୍ୟାଚ୍‌ଗୁଡିକ ସକା‌ଳେ କିମ୍ବା ସନ୍ଧ୍ୟା‌ରେ ଆୟୋଜନ କରିବାକୁ ଦାବି ହୋଇଛି।