ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷାର ପ୍ରଥମ ଦିନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୌଣସି ସ୍ଥାନରେ ପ୍ରଶ୍ନପତ୍ର ପ୍ରଘଟ ହେବାର ଘଟଣା ସାମ୍ନାକୁ ଆସିନାହିଁ। ବରଂ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍(ଓଡ଼ିଆ) ତଥା ସାହିତ୍ୟ ବିଷୟ ପରୀକ୍ଷାରେ କପି କରି ୨୯ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍(ଏମ୍ପି) ହୋଇଛନ୍ତି। ସମ୍ବଲପୁର ଜୋନ୍ରେ ସର୍ବାଧିକ ୧୧ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବା ବେଳେ ବାରିପଦା ଜୋନ୍ରେ ୧୦, ସେଣ୍ଟ୍ରାଲ ଜୋନ୍ରେ ୮ ଜଣ ଏମ୍ପି ହୋଇଛନ୍ତି। ବ୍ରହ୍ମପୁର ଜୋନ୍ରେ ଜଣେ ବି ହେଲେ ପରୀକ୍ଷାର୍ଥୀ ଧରାପଡ଼ି ନ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି।
ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗରେ ପାଖାପାଖି ୨ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ନିର୍ଧାରିତ ସମୟ ପୂର୍ବାହ୍ନ ୯ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିଥିଲା। ୮ଟା ୪୫ ସୁଦ୍ଧା ପରୀକ୍ଷାର୍ଥୀ ସିଟ୍ରେ ବସିବା ପରେ ପ୍ରଶ୍ନପତ୍ର ଏବଂ ୫ ମିନିଟ୍ ପୂର୍ବରୁ ଉତ୍ତର ଖାତା ବଣ୍ଟନ କରାଯାଇଥିଲା। ୯ଟାରେ ପରୀକ୍ଷା ଥିବାରୁ ୮ଟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଯାଇଥିଲା। ପରୀକ୍ଷା ପରିଚାଳନା ହବ୍ର ସୁପରଭାଇଜରଙ୍କ ତଦାରଖରେ ସକାଳ ୬ଟାରୁ ୭ଟା ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ କେନ୍ଦ୍ରକୁ ପଠାଯାଇଥିଲା। ପ୍ରତି ଗାଡ଼ିରେ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। କୌଣସି ସ୍ଥାନରେ କିଛି ବିଭ୍ରାଟ ହୋଇ ନ ଥିବା ପରିଷଦ ପକ୍ଷରୁ କୁହାଯାଇଛି।
ପ୍ରଶ୍ନପତ୍ର ଭାଇରାଲ ଉପରେ ଏଥର କଡ଼ା ନଜର ରଖାଯାଇଛି। ପ୍ରଥମ ଦିନରେ ରାଜ୍ୟର କୌଣସି ବି ସ୍ଥାନରୁ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସି ନାହିଁ। କଡ଼ା ସୁରକ୍ଷା, ବ୍ୟାପକ ଯାଞ୍ଚ, ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଥିବାରୁ ପ୍ରଶ୍ନପତ୍ର ଭାଇରାଲ୍କୁ ରୋକା ଯାଇପାରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଗଠିତ ସ୍କ୍ବାଡ୍ ସମେତ ହବ୍ ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧି, ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ୍ଗୁଡ଼ିକ ପରୀକ୍ଷା କେନ୍ଦ୍ରକୁ ଯାଇ ଯାଞ୍ଚ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, କ୍ୟାମେରା, ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଥିଲା। ପ୍ରବେଶ ପଥରେ ଅଧ୍ୟାପକମାନେ ପରୀକ୍ଷାର୍ଥୀଙ୍କୁ ଭଲ ଭାବେ ଯାଞ୍ଚ କରି ଭିତରକୁ ପ୍ରବେଶ ଲାଗି ଅନୁମତି ଦେଇଥିଲେ। ମେ’ ୯ରୁ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଆରମ୍ଭ ହେବ।