କେବଳ ସ୍ବପ୍ନରେ ସମ୍ଭବ

ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

ଦେଖୁ ଦେଖୁ ଗୋଟିଏ ବର୍ଷ ବିତିଗଲା। ଜଣା ହିଁ ପଡ଼ିଲାନି। ଏବେ ବି ଲାଗେ ତମେ ସମ୍ବଲପୁରରେ ଅଛ। ମଙ୍ଗଳବାର ଅଫ୍‌ ଡେ’ ହେଲେ ଆସିବ। ଆମେ ସବୁ କାଲିଠୁ ଗାଁକୁ ଆସିଛୁ। ଏଠି ସମସ୍ତେ ଅଛନ୍ତି। ସବୁ କାମରେ ବ୍ୟସ୍ତ। ଭୋଜିଭାତ ଚାଲିଛି। ଲାଗୁଛି ତମେ ବି ଅଛ। ଛକକୁ ଯାଇଛ କିଛି କିଣିବାକୁ। ଏଇ ଏବେ ଫେରି ଆସିବ। ତା’ ପରେ ଆଖି ପଡ଼ୁଛି କାନ୍ଥରେ ଟଙ୍ଗା ହୋଇଥିବା ତମ ଫଟୋରେ। ଏଇ ସବୁ ପ୍ରସ୍ତୁତି ତା’ହେଲେ ତମ ପାଇଁ? ମାନେ ତମେ ନାହଁ ଏଠି?? ତମର ଅନୁପସ୍ଥିତି ଅସହ୍ୟ ମନେହେଉଛି।

ତମେ ଜାଣ ମୁଁ ଏବେ ‘ସମ୍ବାଦ’ରେ କାମ କରୁଛି ତାହା ମୋତେ ଘର ଭଳି ଲାଗୁଛି। କିଛି ଲୋକ ସେଠି ମୋତେ ଝିଅ ବୋଲି ଡାକୁଛନ୍ତି। କିଏ ମା’ କହିକି ଡାକୁଛନ୍ତି। ମତେ ଆଗରୁ ଲାଗୁଥିଲା ତମେ ହିଁ ପୂରା ଓଡ଼ିଆରେ କଥା ହୁଅ। କିନ୍ତୁ, ଅଫିସ ଗଲା ପରେ ଜାଣିଲି ସମସ୍ତେ ସେଠି ତମ ପରି କଥା ହଉଛନ୍ତି। ବହୁତ ନିଜର ଲାଗୁଛି ସେଇ ଜାଗା। ଅଫିସ ସାଙ୍ଗକୁ ମାଷ୍ଟର ଡିଗ୍ରିର ଫାଇନାଲ ପରୀକ୍ଷା ଆଉ ଲ୍ୟାବ୍‌ରେ ପୋଜେକ୍ଟ କାମ ବି ଚାଲିଛି। ବହୁତ ହିଁ ଟାଇଟ୍‌ ସିଡ୍ୟୁଲ୍‌। ସମସ୍ତେ କହୁଛନ୍ତି, ନିଜକୁ ଏମିତି ବ୍ୟସ୍ତ ରଖ, ଦୁଃଖ ଭୁଲିଯିବ। ଆଉ ଏତେ ମନେ ପଡ଼ିବନି କାମ ବ୍ୟସ୍ତତାରେ.. ସତରେ? ଏତେ ସହଜ??

ଥରେ ତମର ଦାନ୍ତ ସର୍ଜରି ହେଉଥିଲା। ବିପି ଲୋ ହେଇଗଲା ତ ସର୍ଜରି ଅଧାରୁ ବନ୍ଦ କରି ଦିଆଯାଇଥିଲା। ତମେ ଘରେ ଆସିକି ମତେ ପୂରା ଗୋଟି ଗୋଟି କରି କହୁଥିଲ। ଯେଉଁ ଶୈଳୀରେ ବର୍ଣ୍ଣନା କରୁଥିଲ ମୁଁ ବିସ୍ମିତ ହୋଇଯାଇଥିଲି। ମୁଁ ତୁମର ସବୁଠୁ ବଡ଼ ଫ୍ୟାନ୍‌ ଓ ସବୁବେଳେ ରହିବି। ଏଇଥର ବି ଭାବୁଥିଲି, ତମେ ହସ୍ପିଟାଲରୁ ଭଲ ହେଇକି ଆସିବ। କହିବ ମତେ, ଏମିତି ଲାଗିଲା, ସେମିତି ଲାଗିଲା। ମୁଁ ସେଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। କିନ୍ତୁ ସେମିତି କିଛି ହେଲା ନାହିଁ। ତମେ ଯିବାର କିଛି ମାସ ପରେ ସବୁ ଟିକିଏ ସହଜ ହେବାରେ ଲାଗିଲା। ହେଲେ ମୁଁ ଭାବି ନ ଥିଲି ଏଇ କଥା ମୋ ମୁଣ୍ଡରେ ଏମିତି ରହିଯିବ ବୋଲି। ତା’ ପରଠୁ ସବୁଦିନ ତମକୁ ସ୍ବପ୍ନରେ ଦେଖିଲି। ମାନେ ସେ ସପ୍ନ ବି ସବୁ ଦୈନନ୍ଦିନ ଜୀବନ ପରି ଥିଲା। ମୁଁ ସବୁବେଳେ ଭାବେ କି ତମେ ଥିଲେ ମୁଁ ତମ ସହ ଅଫିସ କଥା ସେୟାର୍‌ କରିଥାନ୍ତି। ମୋ ପ୍ରୋଜେକ୍ଟ ବିଷୟରେ କଥା ହେଇଥାନ୍ତି। କିନ୍ତୁ ସେସବୁ ଏବେ କେବଳ ସ୍ବପ୍ନରେ ସମ୍ଭବ।

-ଦିବ୍ୟାଶା ସାମନ୍ତରାୟ

ସମ୍ବନ୍ଧିତ ଖବର