ଏମିତି ଚାଲିଛି ଲ୍ୟାଣ୍ଡ ଆଲଟମେଣ୍ଟ କମିଟି: ଅନ୍ୟ ପ୍ଲଟରେ ବଣିକ ସଂଘର ବହୁତଳ କୋଠା!

ରାଉରକେଲା : ଜମି ଆବଣ୍ଟନରେ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି)ର ଭୂମିକାକୁ ନେଇ ଅନେକ ସମୟରେ ବିବାଦ ଉପୁଜିଛି। ସହରରେ ସାଧାରଣ ଲୋକଙ୍କୁ ଘରଖଣ୍ଡିଏ ନିର୍ମାଣ କରିବାକୁ ପ୍ଲଟଟିଏ ମିଳୁ ନଥିବାବେଳେ ବଡ ବଡିଆଙ୍କୁ ମୂଲ୍ୟବାନ ପ୍ଲଟକୁ ଶାଗମାଛ ମୂଲ୍ୟରେ ଟେକି ଦିଆଯାଉଥିବା ଅଭିଯୋଗ ହେଉଛି। ସିଭିଲଟାଉନସିପ୍‌ରେ ପ୍ରସ୍ତାବିତ ଇଡ୍‌କୋ ଟାୱାର ଜମିକୁ ସ୍ବଳ୍ପ ମୂଲ୍ୟରେ ଜଣେ ବ୍ୟବସାୟୀଙ୍କୁ ବିକି ଦିଆଯାଇଥିବା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ତେଜୁଛି। ଏବେ ଏଲ୍‌ଏସିର ଆଉ ଏକ ଜମି ଆବଣ୍ଟନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏଲ୍‌ଏସି ରାଉରକେଲା ବଣିକ ସଂଘକୁ ଖାତା ନଂ ୨୧ (ରାଉରକେଲା ଟାଉନ୍‌ ୟୁନିଟ୍‌-୪୪)ରେ ୫୦ ଡେସିମିଲ ଜାଗା ଦେଇଥିଲେ। ମାତ୍ର ବଣିକ ସଂଘ ଖାତା ନଂ ୨୧ ପରିବର୍ତ୍ତେ ଖାତା ନଂ ୨୪ରେ ବହୁତଳ କୋଠା ନିର୍ମାଣ କରିଛନ୍ତି। ତାହା ପୁଣି ବିନା ପ୍ଲାନିଂରେ। ଗତ ୨୦୨୦ ମାର୍ଚ୍ଚ ୧୮ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଲ୍‌ଏସି ବୈଠକରେ ଏଭଳି ତ୍ରୁଟି ସାମ୍ନାକୁ ଆସିଥିଲା। ତେବେ ୩୦ ବର୍ଷ ତଳେ ଆବଣ୍ଟନ ଜମିର ବ୍ୟତିକ୍ରମ ସଂକ୍ରାନ୍ତରେ ଏଲ୍‌ଏସି କେମିତି ଜାଣି ପାରିଲା ନାହିଁ ବୋଲି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ୩୦ ବର୍ଷ ପରେ ତରବରିଆ ଭାବେ ସେହି ଜାଗାକୁ ସଂସ୍ଥା ନାଁରେ କରିବା ପାଇଁ ପୁନଃ ଆବେଦନ କରିବାକୁ ବଣିକ ସଂଘର ସଭାପତିଙ୍କୁ କୁହାଯିବା, ସନ୍ଦେହକୁ ଆହୁରି ଘନିଭୂତ କରୁଛି।

ଏ ସଂକ୍ରାନ୍ତରେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆର୍‌ଆଇ ସେତେବେଳେ ଭୁଲ୍‌ରେ ଖାତା ନଂ ୨୧ ଲେଖିଦେଲେ। ଏବେ ସଂଶୋଧନ କରି ବଣିକ ସଂଘ ନାଁରେ କରି ଦିଆଯାଇଛି। ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ କହିଛନ୍ତି, ‘‘ଆମେ କୌଣସି ତ୍ରୁଟି କରି ନାହୁ। ଖାତା ନଂ ୨୧କୁ ପରବର୍ତ୍ତୀ ସମୟରେ ସଂଶୋଧନ କରାଯାଇଛି। ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି) ବଣିକ ସଂଘକୁ ଗତ ୧୯୯୨ରେ ଜାଗା ଦେଇଥିଲେ। ୧୯୯୫ରେ ଅନୁଷ୍ଠାନର କୋଠା ନିର୍ମାଣ କରିଥିଲୁ। ସମୟ ସମୟରେ ମରାମତି କାମ ଜାରି ରହିଛି।’’ ଅନ୍ୟପକ୍ଷରେ ଆର୍‌ଏମ୍‌ସି ପ୍ଲାନିଂ ବିଭାଗର ଜୈନିକ ଅଧିକାରୀ କହିଛନ୍ତି, ରାଉରକେଲା ବଣିକ ସଂଘ ଉପର ମହଲା ନିର୍ମାଣ କରିବାକୁ କୌଣସି ଅନୁମତି ନେଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ରାଉରକେଲା ବଣିକ ସଂଘ (ଲିଜ୍‌ କେସ୍‌ ନଂ ୫୧/୧୯୮୭) ରାଉରକେଲା ଟାଉନ୍‌ ୟୁନିଟ୍‌ -୪୩, ଖାତା ନଂ ୪୨୫ (ପ୍ଲଟ ନଂ ୧୬୯/ପି,୯୦/ପି ଓ ୯୧/ପି) ମୋଟ ୬୭‌ ଡେସିମିଲ୍‌ ଜାଗା ପାଇଁ ଏଲ୍‌ଏସିରେ ଆବେଦନ କରିଥିଲେ। ଗତ ୧୯୯୧ ସେପ୍ଟେମ୍ବର ୧୭ରେ ଏଲ୍‌ଏସି ବୈଠକ ଅନୁଯାୟୀ ୧୯୯୨ ଫେବୃଆରି ୨୫ରେ ୬୭‌ ଡେସିମିଲ୍‌ ପରିବର୍ତ୍ତେ ୫୦ ଡେସିମିଲ୍‌ ଜାଗା ଦେଇଥିଲେ। ଯାହାର ଖାତା ନଂ ୨୧, ରାଉରକେଲା ଟାଉନ୍‌ ୟୁନିଟ୍‌ ନଂ ୪୪, ପ୍ଲଟ ନଂ ୮୨/ପି, ୮୩/ପି, ୨୯୮/ପି ଥିଲା। ଏ ବାବଦକୁ ୩ ଲକ୍ଷ ୨୫ ହଜାର ଟଙ୍କା ଜମା କରିବାକୁ କହିଥିଲେ। ଏଲ୍‌ଏସି ନିର୍ଦ୍ଦେଶ ଅନୁଯାୟୀ ବଣିକ ସଂଘ ତିନିଟି ପର୍ଯ୍ୟାୟରେ ଯଥାକ୍ରମେ ୮୧, ୨୫୦ ଟଙ୍କା, ୮୧, ୨୫୦ ଟଙ୍କା, ୧ ଲକ୍ଷ ୬୨ ହଜାର ୫୦୦ ଟଙ୍କା ଏମିତି, ମୋଟ୍ ୩ ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ। ତେବେ ବଣିକ ସଂଘ ଖାତା ନଂ ୨୧ରେ ଅଫିସ୍‌ ଓ ଅନ୍ୟାନ୍ୟ କୋଠା ନିର୍ମାଣ କରିବା ପରିବର୍ତ୍ତେ ଖାତା ନଂ ୨୪ରେ କରାଯାଇଛି। ସେଠାରେ ବର୍ତ୍ତମାନ ବହୁତଳ‌ କୋଠା ନିର୍ମାଣ କାମ ଜାରି ରହିଛି।

ପ୍ରଶ୍ନ ଉଠୁଛି ଯେ ଯଦି ଭୁଲ୍‌ ପ୍ଳଟକୁ ଏଲ୍‌ଏସି ରାଉରକେଲା ବଣିକ ସଂଘ ନାଁରେ ନିୟମିତ କରି ଦେଉଛନ୍ତି, ଆବେଦନ କରିଥିବା ଅନ୍ୟ ସଂସ୍ଥାଗୁଡ଼ିକର ଜମି ନିୟମିତ କରିବାରେ କାହିଁକି ବାଧା ସୃଷ୍ଟି ହେଉଛି ? ସେପଟେ ବଣିକ ସଂଘ ନାଁରେ ଯେଉଁ ପ୍ଲଟ ନିୟମିତ ହେବାକୁ ଯାଉଛି, ତାହାର ବର୍ତ୍ତମାନ ବଜାର ମୂଲ୍ୟ ପୂର୍ବ ଖାତା ଠାରୁ ଢ଼େର ଅଧିକ। ତେଣୁ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ବଣିକ ସଂଘ ଟଙ୍କା ଜମା କରିବାର ମଧ୍ୟ ଆବଶ୍ୟକତା ରହିଛି। କେବଳ ଏତିକି ନୁହେଁ ଏଲ୍‌ଏସିରେ ‌ଯେଉଁମାନେ ଏଭଳି ତ୍ରୁଟି କରୁଛନ୍ତି, ସେମାନଙ୍କ ବିରୋଧରେ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେଇ କାହିଁକି ଚୁପ୍‌ ବସୁଛନ୍ତି ? ଏମିତି ଅନେକ ପ୍ରଶ୍ନ ସହରର ବୁଦ୍ଧିଜୀବୀ ପଚାରୁଛନ୍ତି।

ସମ୍ବନ୍ଧିତ ଖବର