ପୁରୀ: ୧୮୮୦ ମସିହା ଗୁଣ୍ଡିଚା ଯାତ୍ରାରେ ରଥଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଚତୁର୍ଦ୍ଧା ବିଗ୍ରହ ରଥରେ ବିଜେ ହୋଇଥିଲେ। କିନ୍ତୁ, ଯାତ୍ରା ଚାରିଦିନ ବିଳମ୍ବ ହୋଇଥିଲା। ମ୍ୟାନେଜର୍‌ ଓ ପୁଲିସ ସାହେବଙ୍କ ମଧ୍ୟରେ ମତାନ୍ତର ଯୋଗୁ ରଥଯାତ୍ରାରେ ବ୍ୟାଘାତ ଦେଖାଯାଇଥିଲା।
୧୮୮୦ ମସିହା ଜୁଲାଇ ୧୪ ତାରିଖରେ ବଳଭଦ୍ରଙ୍କ ରଥ ମାଉସୀମା’ ଘର ନିକଟରେ ପହଞ୍ଚିଥିଲା। ପରଦିନ ସକାଳେ ସୁଭଦ୍ରାଙ୍କ ରଥ ବଳଗଣ୍ଡିଠାରେ ପହଞ୍ଚିବା ପରେ ପୁଲିସ ରଥଟଣା ବନ୍ଦ କରି ଘରକୁ ଗଲେ। ଲୋକେ ଏନେଇ କଚେରି ଯାଇ ମାଜିଷ୍ଟ୍ରେଟ୍‌ଙ୍କୁ ଗୁହାରି କଲେ। ମାତ୍ର, ମାଜିଷ୍ଟ୍ରେଟ ଭକ୍ତମାନଙ୍କ କଥା ଶୁଣିଲେ ନାହିଁ। ଭକ୍ତମାନେ ମନସ୍ତାପରେ ଫେରି ଆସିଲେ। ତେବେ ମାଜିଷ୍ଟ୍ରେଟ୍‌ ଓ ପୁଲିସଙ୍କର ନିଦ୍ରା ଭଙ୍ଗ ହେଲା। ସେସମୟରେ ପ୍ରବଳ ବର୍ଷା ହେଉଥାଏ। ସାହେବମାନେ ବର୍ଷା ନମାନି ଘୋଡ଼ା ଚଢ଼ି ବଡ଼ଦାଣ୍ଡକୁ ଯାଇ ପୁଣି ରଥଟାଣିବା ବନ୍ଦୋବସ୍ତ କଲେ। ଜଗନ୍ନାଥଙ୍କ ରଥ ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇ ଦେଇ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ଘର ନିକଟରେ ରାତି ୮ଟା ସୁଦ୍ଧା ପହଞ୍ଚାଇଲେ।

Advertisment

publive-image

ସେହିଦିନ ସାହେବଙ୍କ ହୁକୁମ ମୁତାବକ ରାଣୀ ୫୦ଟି ମଶାଲ ଯୋଗାଇ ଦେଇଥିଲେ। ମଶାଲ ଜାଳି ରଥଟଣା ହୋଇଥିଲା। ତା’ ପରଦିନ ୧୧ଟା ସମୟରେ ଶ୍ରୀଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା। ସେହିଦିନ ଯଦି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ପହଞ୍ଚି ପାରି ନଥାଆନ୍ତେ, ତେବେ ୧୨ ବର୍ଷ ଦାଣ୍ଡରେ ରହିଥାଆନ୍ତେ ବୋଲି ଆଲୋଚନା ଚାଲିଲା। ଯାତ୍ରା ବିଳମ୍ବ ନେଇ ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ପୁଲିସ ଓ ମ୍ୟାନେଜରଙ୍କ ମଧ୍ୟରେ ମନାନ୍ତର ଯୋଗୁ ଏଭଳି ବିଳମ୍ବ ହୋଇଥିବା ଚର୍ଚ୍ଚା ହେଲା। ମାଜିଷ୍ଟ୍ରେଟ ଗଭର୍ଣ୍ଣମେଣ୍ଟଙ୍କ ଆଜ୍ଞା ମୁତାବକ କମିସନରଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମ୍ୟାନେଜରଙ୍କୁ ଦୋଷ ଦେଇଥିଲେ। ରଥଯାତ୍ରାରେ ଏଭଳି ବ୍ୟାଘାତ ଯୋଗୁ ସମସ୍ତ ଭକ୍ତମାନେ ଭାଙ୍ଗି ପଡ଼ିଥିଲେ। ଯାତ୍ରା ବିଳମ୍ବ ଯୋଗୁ ବାହୁଡ଼ା ମଧ୍ୟ ବିଳମ୍ବ ହୋଇଥିଲା। ତେଣୁ ବାହୁଡ଼ା ଦଶମୀର ପ୍ରାୟ ୨୦ ଦିନ ପରେ ଠାକୁର ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ବାସ୍ତବରେ ରଥଟଣାରେ ବାରମ୍ବାର ବ୍ୟାଘାତ ଦେଖାଗଲା। ଯେଉଁଦିନ ରଥଟଣା ହେବାର ସ୍ଥିର ହୋଇଥିଲା, ସେ ସମୟରେ ପୁଲିସ ଦଳ ଆସିଲେ ନାହିଁ। ଯେଉଁଦିନ ପୁଲିସ ଆସିଲେ ସେଦିନ ରଥ ଟାଣିବାକୁ ଭକ୍ତ ଉପସ୍ଥିତ ନଥିଲେ। ପୁଣି ଆଉ ଏକଦିନ ପୁଲିସ ଆସିଲେ। ମାତ୍ର, ସେଦିନ ଭକ୍ତମାନେ ଚାହିଁ ଚାହିଁ ଘରକୁ ଫେରି ଯାଇଥିଲେ। ଶେଷରେ ଯେଉଁଦିନ ପୁଲିସ ଓ ଭକ୍ତ ଉପସ୍ଥିତ ଥିଲେ, ପୁଲିସ ସାହେବଙ୍କ ହୁକୁମ ନଆସିବାରୁ ରଥ ଟଣା ହୋଇପାରିଲା ନାହିଁ।

ପରବର୍ତ୍ତୀ ସମୟରେ ଜଣାଗଲା ଯେ ରଥର ଚକ, ଅଖ, ଆଡ଼ି ଓ ସାମ୍‌ନା କାଠ ଇତ୍ୟାଦି ସବୁ ଦୁର୍ବଳ ତଥା ମନ୍ଦ ଥିବାର ପ୍ରମାଣପତ୍ର ଦେଇଥିଲେ ଡେବିସ ସାହେବ। ମାତ୍ର ଠାକୁରମାନେ ରଥରେ ବିଜେ କରିସାରିଥିବାରୁ ରଥରେ କିଛି ପରିବର୍ତ୍ତନ କରିବା ସମ୍ଭବ ନଥିଲା। କେବଳ କଥା ରଖିବାକୁ ନାମମାତ୍ର ପରିବର୍ତ୍ତନ ହୋଇଥିଲା। ମାତ୍ର ଏଥିପାଇଁ ରଥଯାତ୍ରା ୪ ଦିନ ବିଳମ୍ବ ହୋଇଯାଇଥିଲା।