ପୁରୀ : ରଥ ଟାଣିବା ବେଳେ ମହାପ୍ରଭୁଙ୍କ ରଥ ତଳେ ପଡ଼ି ଦେହତ୍ୟାଗ କରିବାର ବହୁ ପ୍ରମାଣ ଇତିହାସ ପୃଷ୍ଠାରେ ରହିଛି। ମାତ୍ର ଏମିତି ବି ଭକ୍ତ ଥିଲେ, ଯେଉଁମାନେ ରଥ ତଳେ ଜାଣିଜାଣି ଶୋଇପଡ଼ି ପ୍ରାଣ ବିସର୍ଜନ କରୁଥିଲେ। ଅନେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ମହିମା କହୁଥିଲେ ହେଁ ବ୍ରିଟିସ ଶାସକମାନେ ଏଭଳି ପ୍ରାଣ ବିସର୍ଜନକୁ ନାପସନ୍ଦ କରୁଥିଲେ।

Advertisment

୧୮୦୬ ମସିହା ରଥଯାତ୍ରା ସମ୍ପର୍କରେ ବୁଚାନନ୍‌ ଏକ ପତ୍ରରେ ଲେଖିଛନ୍ତି, ମୁଁଏଭଳି ଏକ ଦୃଶ୍ୟ ଦେଖିଲି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ। ଜଣେ ତୀର୍ଥଯାତ୍ରୀ ନିଜକୁ ଠାକୁରଙ୍କ ନିକଟରେ ସମର୍ପଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ। ରଥ ପ୍ରାୟ ୨୦ ଗଜ ଆଗେଇବା ପରେ ସେ ରଥ ତଳେ ମୁହଁ ମାଡ଼ି ଶୋଇପଡ଼ିଲେ। ତାଙ୍କ ଉପରେ ରଥ ଚକ ଚଢ଼ିଗଲା। ସେ ପ୍ରାଣତ୍ୟାଗ କଲେ। ସମସ୍ତେ ଠାକୁରଙ୍କ ଜୟଧ୍ବନୀ କଲେ ଏବଂ ହଜାର ହଜାର ଲୋକ ସେଇ ଶବ ଉପରେ ଚାଉଳ ଓ କଉଡ଼ି ଫିଙ୍ଗିଲେ।

publive-image

୧୮୨୬ ରଥଯାତ୍ରା ସମ୍ପର୍କରେ ହିଷ୍ଟ୍ରି ଅଫ ଜେନେରାଲ ବାପ୍ଟିଷ୍ଟ ମିସନରେ ରେଭରେଣ୍ଡ ଲାସି ଲେଖିଛନ୍ତି, ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାଡ଼ିଯିବା ଦ୍ବାରା ଜଣେ ଗରିବ ଲୋକର ଶରୀର ଖଣ୍ଡ ଖଣ୍ଡ ହୋଇଥିଲା। ରଥ ଚକ ତାଙ୍କ କଟି ଉପରେ ଚଢ଼ିଯିବା ଦୃଶ୍ୟ ଅତ୍ୟନ୍ତ ମର୍ମାନ୍ତିକ ଭୟଙ୍କର ଥିଲା। ସେ ଏକଥା ବି ଲେଖିଥିଲେ, ଏହି ବିରାଟକାୟ ଚକଗୁଡ଼ିକ ସତେ ଯେପରି ଅଭିଷ୍ଟ ଫଳ ପ୍ରଦାନ ପାଇଁ ତିଆରି କରାଯାଇଛି। ଗରିବ ହତଭାଗ୍ୟ ଲୋକଟିଏ ରଥ ତଳେ ନିଜକୁ ନିକ୍ଷେପ କରି ଆତ୍ମସମର୍ପଣ କଲା। କିନ୍ତୁ ହିନ୍ଦୁସ୍ଥାନୀ ବ୍ରାହ୍ମଣମାନଙ୍କ ନିକଟରେ ଜଣେ ସମ୍ମାନନୀୟ ବ୍ୟକ୍ତି ଭାବେ ପରିଗଣିତ ହେଲା। ୧୮୧୪ ମସିହାରେ ଜଣେ ମହିଳା ଭକ୍ତ ନିଜକୁ ରଥ ଚକତଳେ ସମର୍ପଣ କରିବାର ଏକ ମର୍ମାନ୍ତିକ ଘଟଣା ଘଟିଥିଲା। ଆଉ ଜଣେ ମହିଳା ଭକ୍ତ ତାଙ୍କ ଶରୀରକୁ ଝାସ ଦେବାରେ ବ୍ୟର୍ଥ ହୋଇଥିଲେ ହେଁ ତାଙ୍କର ଦୁଇଟି ହାତ ଭାଙ୍ଗିଯାଇଥିଲା। ସେହିବର୍ଷ ରଥଯାତ୍ରାରେ ୩ ଜଣ ଲୋକ ଭିଡ଼ ଭିତରେ ପ୍ରାଣ ହରାଇଥିଲେ।

୧୮୨୭ ମସିହାରେ ଜଗନ୍ନାଥଙ୍କ ରଥ ତଳେ ଜଣେ ଭକ୍ତ ନିଜକୁ ରଥ ତଳେ ସମର୍ପଣ କରିଦେଇ ଚାପି ହାଇ ମୃତ୍ୟୁବରଣ କରିଥିଲା। ଆତ୍ମହତ୍ୟା ଘଟଣାକୁ ଉଲ୍ଲେଖ କରି ରେଭରେଣ୍ଡ ପେଗ୍‌ ଦୁଃଖପ୍ରକାଶ କରିଥିଲେ। ଏଣ୍ଡ୍ରିୟୁ ଷ୍ଟାରଲିଂ ଏସିଆଟିକ ରିସର୍ଚେସରେ ୧୮୨୫ ମସିହା ରଥଯାତ୍ରା ସମ୍ପର୍କରେ ଲେଖିଛନ୍ତି, ଅତିରିକ୍ତ ଭାବୁକ ଭକ୍ତ ନିଜକୁ ରଥ ଚକ ତଳେ ସମର୍ପି ଦେଉଥିଲେ। ତାହା ଅତିସହଜରେ ପୂଜାରୀମାନେ ଏହାକୁ ବନ୍ଦ ପାରିଥିଲା। ମୋର ଅନୁଭୂତିରେ ୪ ବର୍ଷ ଭିତରେ ୩ଟି ଏହିଭଳି ଅଘଟଣ ମୁଁ ଦେଖିଛି।