ପୁରୀ: ଏବେ ରଥଯାତ୍ରାରେ ତିନି ରଥ ଗୋଟିଏଦିନରେ ସିଂହଦ୍ବାରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି। ଏମିତି ବି କାଳଖଣ୍ଡ ଥିଲା, ଯେବେ ରଥ ପହଞ୍ଚିବା ବେଳକୁ ୭ ଦିନ ଲାଗି ଯାଇଥିଲା। ସେତେବେଳେ ମାଳିନୀ ନଦୀ ନଥିଲା, କି ୬ ରଥ ହେଉନଥିଲା। କିନ୍ତୁ, ୧୮୮୯ ମସିହାର ରଥଯାତ୍ରାରେ ରଥ ଶ୍ରୀମନ୍ଦିରସ୍ଥ ସିଂହଦ୍ବାରରୁ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ଲାଗିଯାଇଥିଲା ଆଉ ଛଅଦିନ।
ରଥଯାତ୍ରା ପୂର୍ବଦିନ ନବଯୌବନ ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ହୋଇଥିଲା। ତତ୍କାଳୀନ ବ୍ରିଟିସ ଜିଲ୍ଲାପାଳ ଓ ପୁଲିସ ଦଳଦଳ ହୋଇ ଅମଲା ଓ ରାଜବାଟୀର ମ୍ୟାନେଜରଙ୍କ ସହଯୋଗରେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ନିକଟରେ ପହଞ୍ଚି ଯାଇ ସକାଳ ୮ଟାରୁ ଭକ୍ତଙ୍କ ନିମନ୍ତେ ନବଯୌବନ ଦର୍ଶନର ସୁବିଧା କରାଇଥିଲେ। ପ୍ରାୟ ୫ହଜାର ଭକ୍ତ ଅକ୍ଳେଶରେ ନବଯୌବନ ଦର୍ଶନ କରି ଆନନ୍ଦିତ ହୋଇଥିଲେ। ତା’ପରଦିନ ଅପରାହ୍ନ ୩ଟାରୁ ରଥଗୁଡ଼ିକୁ ସିଂହଦ୍ବାରକୁ ଆଣିବା ଆରମ୍ଭ ହୋଇଥିଲା। ମାତ୍ର, ବଡ଼ ରଥ ଆସିବାବେଳେ ପୂର୍ବ ପାର୍ଶ୍ବରେ ଥିବା ନାଳକୁ ମାଡ଼ିଯିବାରୁ ୧୦ ହାତ ଲମ୍ବରେ ବଡ଼ବଡ଼ ପଥର ସବୁ ଭାଙ୍ଗିଗଲା। ତେଣୁ ରଥ ପହଞ୍ଚିବା ଦୁରୂହ ହେଲା। ଅନ୍ୟ ରଥ ଶ୍ରୀଗୁଣ୍ଡିଚା ଦିନ ସନ୍ଧ୍ୟା ସମୟରେ ସିଂହଦ୍ବାରରେ ପହଞ୍ଚିଥିଲେ।
ସେପର୍ଯ୍ୟନ୍ତ ନାଳକୁ ମାଡ଼ି ଯାଇଥିବା ରଥର କାର୍ଯ୍ୟ ଶେଷ ହୋଇନଥିଲା। ସେଦିନ ବର୍ଷା ବି ଜୋର୍ରେ ହେଉଥାଏ। ତେଣୁ, ଚତୁର୍ଦ୍ଧା ବିଗ୍ରହଙ୍କୁ ଧାଡ଼ି ପହଣ୍ଡି କରି ରଥାରୋହଣ କରିବାବେଳକୁ ପ୍ରାୟ ରାତି ଦୁଇପ୍ରହର ହୋଇସାରିଥିଲା। ରାତି ଯୋଗୁ ରଥ ଟଣା ହେଲାନାହିଁ। ଫଳରେ, ଭକ୍ତମାନେ କେବଳ ରାଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରି ଚାଲିଯାଇଥିଲେ। ତା’ ପରଦିନ ଅର୍ଥାତ୍ ୧୮୮୯ ମସିହା ଜୁଲାଇ ୧ ତାରିଖ ସୋମବାର ରଥଟଣା ଆରମ୍ଭ ହୋଇଥିଲା। ୬ ତାରିଖ ଶନିବାର ଗୁଣ୍ଡିଚା ଦ୍ବାର ନିକଟରେ ରଥ ପହଞ୍ଚିଥିଲା। ସେହିଦିନ ରାତି ପ୍ରାୟ ୯ଟା ସମୟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ୭ ତାରିଖ ଦିନ ପାଗ ଭଲ ରହିବାରୁ ଲୋକେ ଭଲରେ ସନ୍ଧ୍ୟା ଦର୍ଶନ କରି ଫେରିଥିଲେ। ୮ ତାରିଖ ସୋମବାର ମଧ୍ୟାହ୍ନ ସମୟର ମହାପ୍ରଭୁ ଜଗମୋହନରେ ବିଜେକରି ରହିଲେ। ସେପର୍ଯ୍ୟନ୍ତ ରଥଗୁଡ଼ିକ ଦକ୍ଷିଣ ମୁଖା ହୋଇନଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେଯୁଗେ ରଥଯାତ୍ରା ପୁସ୍ତକରେ କେବଳ ୮ ତାରିଖ ପର୍ଯ୍ୟନ୍ତ ବିବରଣୀ ଲେଖାଯାଇଥିଲେ ହେଁ ଏହାପରେ ବାହୁଡ଼ା ଯାତ୍ରା ସମ୍ପାଦନ ନେଇ କୌଣସି ବିବରଣୀ ନାହିଁ।
ଗବେଷକମାନଙ୍କ ମତରେ ଅତୀତରେ ରଥଯାତ୍ରା ସମ୍ପାଦନ ବିଧି ମୁତାବକ ହୋଇ ପାରୁନଥିଲା। ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ରଥ ଉପରକୁ ବିଜେ କରିବା ବେଳକୁ ପ୍ରାୟତଃ ରାତି ହୋଇଯାଉଥିଲା। ତେଣୁ ରଥଯାତ୍ରା ଦିନ କେବଳ ପହଣ୍ଡିରେ ସେଦିନର ଯାତ୍ରା ସୀମିତ ରହୁଥିଲା। ତା ପରଦିନଠାରୁ ରଥ ଚଳା ଆରମ୍ଭ ହେଉଥିଲା। ଭକ୍ତମାନଙ୍କ ସହଯୋଗରେ ରଥ ଟଣା ଯାଉଥିଲେ ହେଁ ରଥ ଯାତ୍ରା ଦିନ ଭଳି ଆଶାନୁରୂପ ଭିଡ଼ ହେଉନଥିଲା। କାଳକ୍ରମେ ରଥ ଟାଣିବା ପାଇଁ କଳା ବେଠିଆମାନଙ୍କୁ ନିୟୋଜିତ କରାଗଲା। ସେମାନଙ୍କ ସହଯୋଗରେ ରଥଯାତ୍ରାରେ ରଥ ଚଳା ସୁଗମ ହେଲା। ଏବେ ଯଦି ଗୋଟିଏ ଦିନରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନପାରେ, ତେବେ ତାପରଦିନ ସକାଳେ ୯ଟାରୁ ୧୦ଟା ମଧ୍ୟରେ ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥାଏ। ମାତ୍ର କିଛି ବର୍ଷ ହେବ ଗୁଣ୍ଡିଚା ଯାତ୍ରା ଦିନ ହିଁ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଯାଉଛି।