କଣ୍ଟାବାଞ୍ଜି/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଫୁଲୁକିମୁଣ୍ଡା ପଞ୍ଚାୟତ ହାଇସ୍କୁଲରେ ଚିତ୍ତ ଜ୍ଞାନୀ ଚାରିଟେବୁଲ୍‌ ଟ୍ରଷ୍ଟ ତରଫରୁ ଆୟୋଜିତ ବିଶାଳ ସ୍ବାସ୍ଥ୍ୟ ଶିବିରର ଦ୍ୱିତୀୟ ଦିନରେ ହଜାର ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି। ଖପ୍ରାଖୋଲ ବ୍ଲକ୍‌ ମାଓ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଗରିବ ଦାଦନ ଶ୍ରେଣୀର ଲୋକେ ବସବାସ କରୁଛନ୍ତି। ବ୍ଲକ୍‌ ଅଞ୍ଚଳରେ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀ ଉଚ୍ଚତର ଚିକିତ୍ସା ପାଇବାରୁ ବଞ୍ଚିତ ରହିଥାନ୍ତି। ଏହାକୁ ଚିତ୍ତଜ୍ଞାନୀ ଚାରିଟେବୁଲ ଗୁରୁତ୍ୱର ସହ ନେଇ ବ୍ଲକ୍‌ ଅଞ୍ଚଳରେ ଲୋକଙ୍କୁ ଉନ୍ନତଧରଣର ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ଟି ବିଭାଗର ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତରଙ୍କ ଉପସ୍ଥିତିରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା।

Advertisment

ଗତକାଲି ପ୍ରଥମ ଦିନରେ ୧୫୦୦ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୨୭ଶହରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ଖପ୍ରାଖୋଲ ବ୍ଲକ୍‌ର ୨୧ଟି ପଞ୍ଚାୟତ ସମେତ ବେଲପଡ଼ା, ତୁରେକେଲା ବ୍ଲକ୍‌ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସା କରାଯାଇଛି। ଟ୍ରଷ୍ଟର ସଦସ୍ୟ ରୋଗୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବା ବେଳେ ପ୍ରଧାନଶିକ୍ଷକ ଗୋପାଳକୃଷ୍ଣ ବେହେରା ତଥା ସ୍କୁଲର ଶିକ୍ଷକମାନେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ରୋଗୀଙ୍କୁ ଡାକ୍ତରଙ୍କ କାଉଣ୍ଟର ଦେଖାଇବା ତଥା ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ। ଆଜି ଶିବିରରେ ୩୯୮ ଜଣ ରୋଗୀଙ୍କୁ ଚଷମା ବଣ୍ଟନ କରାଯାଇଥିବା ବେଳେ ୬୮ ଜଣଙ୍କ ଦାନ୍ତ ଚିକିତ୍ସା ଓ ୧୧ଜଣ ରୋଗୀଙ୍କୁ ଶ୍ରବଣ ଯନ୍ତ୍ର ଦିଆଯାଇଛି। ଶିବିରରେ ପ୍ରଫେସର ଡା. ରାମନାଥ ମିଶ୍ର, ଡା. ପ୍ୟାରେଲାଲ ତ୍ରିପାଠୀ, ଡା. ପ୍ରଶାନ୍ତ ଦାସ, ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଶାସକ ଗୋଧନେଶ୍ୱର ହୋତା ଓ ସଂପାଦକ ରାଜେଶ୍ୱର ହୋତା ଯୋଗ ଦେଇଥିଲେ।