କେରଳ ଯିବା ବାଟରେ ଦାଦନ ଶ୍ରମିକ ନିଖୋଜ

୫ ମାସ ପରେ ବି ପତ୍ତା ମିଳୁନି, ଖୋଜି ଆଣିବାକୁ ବାପା ମା’ଙ୍କ ଗୁହାରି

ଲାଞ୍ଜିଗଡ଼: କେରଳ ରାଜ୍ୟକୁ ଦାଦନ ଖଟି ଯାଉଥିବା ବେଳେ ବାଟରେ ନିଖୋଜ ହୋଇଯାଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ ଜାମଚୁଆ ଗାଁର ଘାସିରାମ ନାଏକଙ୍କ ପୁଅ ମଣ୍ଟୁ ନାଏକ(୨୧ବର୍ଷ)। ଏନେଇ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବିଶ୍ୱନାଥପୁର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଘଟଣାକୁ ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ମଧ୍ୟ ମଣ୍ଟୁଙ୍କ କ‌ୌଣସି ପତ୍ତା ମିଳୁ ନାହିଁ। ଶେଷରେ ନିରାଶ ହୋଇ ପରିବାର ଲୋକେ ପ୍ରଶାସନକୁ ଗହାରି କରିଛନ୍ତି।

ପରିବାର ଲୋକଙ୍କ କହିବା ଅନୁସାରେ, ୫ ମାସ ତଳେ ମଣ୍ଟୁ ଗାଁର ତାଙ୍କ ସାଙ୍ଗ ଲୋକନାଥ ମାଝୀ, ମାଧବ ମାଝୀ, ଅର୍ଜୁନ ମାଝୀ, ଶଙ୍କର ମାଝୀ, ନବୀନ ମାଝୀ, ଦେବ ମାଝୀ, ରଞ୍ଜିତ ମାଝୀଙ୍କ ସହିତ କେରଳ ରାଜ୍ୟକୁ କାମ କରିବା ପାଇଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଷ୍ଟେସନକୁ ଯାଇଥିଲେ। ମଣ୍ଟୁଙ୍କ ନିଜର ଟ୍ରେନ୍‌ ଟିକଟ ନଥିବା ବେଳେ ମାଧବଙ୍କ ଟିକଟରେ କେରଳ ଯିବ ବୋଲି କହି ମଣ୍ଟୁଙ୍କୁ ସାଙ୍ଗମାନେ ନେଇଥିଲେ। ମୁନିଗୁଡ଼ା ଷ୍ଟେସନରୁ ଟ୍ରେନ ଚଢ଼ିଥିଲେ। କିନ୍ତୁ ମଣ୍ଟୁ କେରଳ ଯିବା ବାଟରେ ଅଧା ରାସ୍ତାରେ କୌଣସି ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ।

ସାଙ୍ଗମାନେ ଯେତେ ଖୋଜିଲେ ମଧ୍ୟ ପାଇ ନଥିଲେ ବୋଲି ସାଙ୍ଗମାନେ ମଣ୍ଟୁଙ୍କ ବାପାଙ୍କୁ କହିଥିଲେ। ଏନେଇ ମଣ୍ଟୁଙ୍କ ବାପା ୨୨ ଅକ୍ଟୋବର ୨୦୨୧ ତାରିଖରେ ବିଶ୍ୱନାଥପୁର ଥାନାରେ ଏତଲା ଦେଇଥିଲେ। ଏପଟେ ରୋଜଗାରିଆ ପୁଅ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବାରୁ ବାପା ମା’ ଭାଙ୍ଗି ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଖୋଜି ଆଣିବାକୁ ସେମାନେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର