ଭୁବନେଶ୍ବର: ଭାରତୀୟ ଗାଣତାନ୍ତ୍ରିକ ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭା ଗୃହ ଭିତରକୁ ପୁଲିସ ପଶି କଂଗ୍ରେସ ସଦସ୍ୟମାନଙ୍କୁ ଧସ୍ତାଧସ୍ତି କରି ବାହାରକୁ ବାହାର କରିଛି। ରାଜ୍ୟର ବିଧାନସଭାର ପରିଚାଳନା ନିୟମ ୧୨୬ ଅନୁସାରେ ବିଧାନସଭାର ଗୃହକୁ ପରିଚାଳନା କରିବା ଦାୟିତ୍ବ ହେଉଛି ବାଚସ୍ପତିଙ୍କର। ଗୃହ ବନ୍ଦ ଥିବା ବେଳେ ବାଚସ୍ପତି କୌଣସି ରୁଲିଂ ଦେଇପାରିବେ ନାହିଁ। ତେଣୁ ଗୃହ ବନ୍ଦ ଥିବା ବେଳେ କାହା ନିର୍ଦ୍ଦେଶରେ ପୁଲିସ ବିଧାନସଭା ଭିତରକୁ ପ୍ରବେଶ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଲେ, ବାଚସ୍ପତି ରାଜ୍ୟବାସୀଙ୍କ ଆଗରେ ଏହାର ସଂପୂର୍ଣ୍ଣ ତଥ୍ୟ ରଖନ୍ତୁ। ବିଧାନସଭା ଭିତରକୁ କେବଳ ବିଧାୟକମାନଙ୍କ ଯିବାର ଅନୁମତି ରହିଛି। ବିଧାନସଭା ବନ୍ଦ ଥିବା ବେଳେ ପୁଲିସ କିଭଳି ବିଧାନସଭା ଭିତରକୁ ପଶିଲେ? କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ରାଜ୍ୟପାଳ ଏହି ଅଗାଣତାନ୍ତ୍ରିକ ଓ ସମ୍ବିଧାନ ବିରୋଧୀ ନିଷ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 

Advertisment

ଭୟ ଓ ଭୀରୁତାରୁ ବିଜେଡି ୱକଫ୍‌ ବିଲ୍‌ ଉପରେ ବିବେକ କଥା କହିଛି

ୱକଫ୍‌ ସଂଶୋଧିତ ବିଲ ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଲେ, ବିଜେପି-ବିଜେଡି ଏକ। ସେମାନଙ୍କ ଭିତରେ ଏକ ଡିଲ୍‌ ହୋଇଛି। ବିଲ୍ ଆସିବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଦଳର ସାଂସଦମାନେ ଏହି ବିଲ୍‌କୁ ବିରୋଧ କରିବେ ବୋଲି କହିଥିଲେ। ବିଲ୍‌ ଉପସ୍ଥାପିତ ହେବା ପୂର୍ବରୁ ଦଳ ପକ୍ଷରୁ ହ୍ବିପ୍‌ ଜାରି ପରିବର୍ତ୍ତେ ଯେଉଁ ବିବେକ କଥା କୁହାଯାଇଛି ତାହା ଭୟ ଓ ଭୀରୁତାରୁ ଆସିଛି। ରାଜ୍ୟର ସଂଖ୍ୟାଲଘୁମାନେ ବିଜେଡିର ଅସଲ ରୂପକୁ ଦେଖିଲେ। ପୂର୍ବରୁ କିଛି ଆଇଏଏସ୍‌ ଓ ଅବସରପ୍ରାପ୍ତ ଆଇଏଏସ୍‌ଙ୍କୁ ନେଇ ରାଜ୍ୟରେ ଶାସନ ଚାଲିଥିଲା। ସେମାନେ ହେଉଛନ୍ତି ହଜୁର ଓ ମନ୍ତ୍ରୀ ଓ ବିଧାୟକ ମଜଦୁର। ଏବେ ଏଥିରୁ କଲମି ବାହାରି କୋତୱାଲ ବା ପୁଲିସ ଶାସନ ବ୍ୟବସ୍ଥା ଉପରେ ହାତ ପୁରାଇଲେଣି। ଏ ଶାସନର ଗତି କୁଆଡ଼େ ବୋଲି ସେ ପ୍ରଶ୍ନ କରିଛନ୍ତି। 

ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ରାଜା ଚକ୍ର ବ୍ୟାଙ୍କ ଆକାଉଣ୍ଟରୁ କୋଟିଏ ଟଙ୍କା ବିଜେପି ସଭାପତିଙ୍କ ଆକାଉଣ୍ଟକୁ ଯାଇଛି ବୋଲି ତାଙ୍କ ଓକିଲ ଗତକାଲି ଗଣମାଧ୍ୟମକୁ ଏକଥା କହିଛନ୍ତି। ତାହାଲେ ରାଜ୍ୟବ୍ୟାପୀ ଖଣି ଖାଦାନ ଖୋଳୁଥିବା ପ୍ରଭାକରନ୍‌ କେତେ ଟଙ୍କା ଦେଇଛନ୍ତି ? ପ୍ରଭାକରନଙ୍କ ଦ୍ବାରା କେତେ ଖଣିଜ ଦ୍ରବ୍ୟ ବିଦେଶକୁ ରପ୍ତାନୀ କରାଯାଇଛି। ରାଜା ଚକ୍ରର ସୃଷ୍ଟିକର୍ତ୍ତା ହେଉଛନ୍ତି କେନ୍ଦୁଝର ଜିଲ୍ଲାର ପୂର୍ବତନ ମନ୍ତ୍ରୀ ଓ ତତ୍କାଳୀନ ଜିଲ୍ଲାପାଳ ଓ ଏସ୍‌ପି। ଏସବୁର ତଦନ୍ତ ଇଡି ଓ ସିବିଆଇ କରିବା ଉଚିତ୍। ମୁଖ୍ୟମନ୍ତ୍ରୀ ଏଥିପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ନୂଆ ସରକାର ଆସିବା ପରେ ରାଜ୍ୟବାସୀ ଭାବିଥିଲେ ଖଣିମାଲିକଙ୍କ ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର କୌଣସି ବୁଝାମଣା କରିବେ ନାହିଁ। ମାତ୍ର ଗତକାଲି ସିଏଜି ରିପୋର୍ଟରେ ସବୁ ଘଟଣା ପ୍ରଘଟ ହେଲା। ରାଜ୍ୟରେ ଲଘୁ ଖଣିଜଦ୍ରବ୍ୟର କୋଟି କୋଟି ଟଙ୍କାର ଚୋରା ଚାଲାଣ ହେଉଛି। ସରକାର ଓ ବିଜେପି ଦଳ ଏଥିରୁ କ’ଣ ଫାଇଦା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରଜନୀ ମହାନ୍ତି, ସୁଧାଂଶୁ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।