ପୁଣି ଥରେ ରାସ୍ତାକୁ ଓହ୍ଲାଇବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ବର: ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ପରେ ମହାନଦୀ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ଟ୍ରିବ୍ୟୁନାଲ ତାର ତିନିବର୍ଷର କାର୍ଯ୍ୟ ପୂରଣ କରିଛି। ସେଥିରୁ କୌଣସି ସୁଫଳ ମିଳିଲା ନାହିଁ। ଏଣୁ ଓଡ଼ିଶାର ସ୍ବାର୍ଥ ତଥା ମହାନଦୀର ସୁରକ୍ଷା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପୁଣି ଥରେ ରାସ୍ତାକୁ ଓହ୍ଲାଇବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ଏଭଳି ଧମକ ଦିଆଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ ପ୍ରମୁଖ କହିଛନ୍ତି ଯେ ମହାନଦୀ ପାଇଁ ରାଜ୍ୟ ସରକାର ଯେଉଁ ଦୃଷ୍ଟି ଦେବା କଥା ସେଥିରେ ଚରମ ଅବହେଳା ପରିଲକ୍ଷିତ ହୋଇଛି। ସବୁଜ ମହାନଦୀ ମିସନ ଧୂଆଁବାଣରେ ପରିଣତ ହୋଇଛି। ହୀରାକୁଦ ତଳମୁଣ୍ଡରେ ମହାନଦୀ ଜଳ ସଂରକ୍ଷଣ କେବଳ ବିବୃତିରେ ରହିଯାଇଛି। ମହାନଦୀ ଜଳକୁ ପ୍ରଦୂଷଣ ମୁକ୍ତ କରିବା ଓ ମହାନଦୀର ଜମିକୁ ଜବରଦଖଲରୁ ମୁକ୍ତ କରିବାରେ ସରକାର ଚରମ ବିଫଳ ହୋଇଛନ୍ତି। ଏହା ବିରୋଧରେ ଆନ୍ଦୋଳନ ତେଜିବ।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଆନ୍ତଃରାଜ୍ୟ ଜଳବିବାଦ ଆଇନ ୧୯୫୬ ଅନୁଯାୟୀ ଗୋଟିଏ ଟ୍ରିବ୍ୟୁନାଲ ୩ବର୍ଷ ଭିତରେ ତାର ବିବାଦ ସମାଧାନ କରିବା କଥା। ଆସନ୍ତା ୧୨ ତାରିଖ ଦିନ ଏହି ସମୟସୀମା ଶେଷ ହେଉଛି। କିନ୍ତୁ ଜଳବିବାଦ ସମାଧାନ ଦିଗରେ ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ସବୁଠାରୁ ବଡ଼ କଥା ହେଲା, ୩ବର୍ଷ ଭିତରେ ଓଡ଼ିଶା ଟ୍ରିବ୍ୟୁନାଲ କୌଣସି ଅନ୍ତରୀଣ ଆଦେଶ ପାଇପାରିଲା ନାହିଁ। ଛତିଶଗଡ ମହାନଦୀ ଉପରେ ଯେଉଁ ବେଆଇନ ପ୍ରକଲ୍ପ ବନ୍ଧ, ବ୍ୟାରେଜ ଆଦି କରୁଛି, ତା ଉପରେ ରୋକ୍ ଲଗାଇବା ପାଇଁ ଅନ୍ତରୀଣ ଆଦେଶ ଆଶା କରାଯାଉଥିଲା, ଯାହା ମଉଳି ଯାଇଛି। କମନ୍ ଇନଫର୍‌ମେସନ୍ ଫର୍ମାଟ୍ ମଧ୍ୟ ଚୂଡାନ୍ତ ହୋଇପାରିଲା ନାହିଁ। ଏଥିରେ ୬୧ଟି ବିଷୟ ବା ଦିଗ ରହିଛି, ଯାହା ଉପରେ ତଥ୍ୟ ସଂଗ୍ରହ ହେବା କଥା। ଏତେ ଅଧିକ ବିଷୟ ନିଆଯାଇଥିବା କାରଣରୁ ଏହା ସମୟ ସାପେକ୍ଷ। ଆସନ୍ତା ଦୁଇବର୍ଷରେ ଶୁଣାଣି ଶେଷ ହୋଇପାରିବ, ଏହା ବି ସନ୍ଦେହ ସୃଷ୍ଟି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ପ୍ରବକ୍ତା ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ନିରଦବର ଖୁଣ୍ଟିଆ, ଅଶୋକ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଟ୍ରିବ୍ୟୁନାଲର ଆଜି ୧୯ ତମ ଶୁଣାଣିଥିଲା। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ ତାରିଖରେ ହେବ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍ ନିର୍ଧାରିତ ୩ବର୍ଷ ପରେ ବି ଶୁଣାଣି ହେବ। ଆଇନ ମୁତାବକ ୩ବର୍ଷରେ ଟ୍ରିବ୍ୟୁନାଲ ରାୟ ଦେଇନପାରିଲେ ଆଉ ଦୁଇ ବର୍ଷ ସମୟସୀମାକୁ ପରିବର୍ଦ୍ଧିତ କରାଯିବ।

ସମ୍ବନ୍ଧିତ ଖବର