ସୁନ୍ଦରଗଡ଼: ପାହାଡ଼ଟି ଲଣ୍ଡା ଥିଲା। ଶିଖରରେ ଥିବା ଗୋଟେଯୋଡ଼େ ଗଛର ମଧ୍ୟ ଜୀବନଡୋର ଛିଡ଼ିଛିଡ଼ି ଆସୁଥିଲା। ନିଜ ଆଖିଆଗରେ କୁରାଢ଼ିଚୋଟରେ ଧରାଶାୟୀ ହୋଇଥିବା ପାହାଡ଼ର ଅନ୍ୟଗଛ ଭଳି କେଉଁ ମୁହୂର୍ତ୍ତରେ ସେମାନଙ୍କର ବି ପାଳି ଆସିପାରେ ବୋଲି ଭୟରେ ଥରୁଥିଲେ ‌ଯେମିତି। କିନ୍ତୁ ସେ ଦୁର୍ଭାଗ୍ୟ ଆସି ନଥିଲା। ଲଣ୍ଡାପାହାଡ଼ର ତଳେ ଥିବା ଗାଁ ଲୋକେ ଚେତିଲେ। ଠେଙ୍ଗାଧରି ଜଗିଲେ, ଗଛଗୁଡ଼ିକ ବର୍ତ୍ତିଗଲେ। ପରେ ପରେ ପାହାଡ଼ର ଟାଙ୍ଗରାଭୂଇଁରେ ଲଗାଇଲେ ଚାରା। ମୁଠିଭିକ୍ଷା କରି ଜଙ୍ଗଲ ସୁରକ୍ଷାକଲେ। ଏବେ ସେ ଲଣ୍ଡାପାହାଡ଼ ସୁନ୍ଦର ସବୁଜିମାରେ ଭରିଯାଇଛି। ୧୨୧ ହେକ୍ଟର ପରିମିତ ପାହାଡ଼ମୁହଁରେ ହସଭରି ପ୍ରେରଣାର ଇତିହାସ ଲେଖିଥିବା ଗାଁଟିର ନାଁ ସାଗରପାଲି। ଟାଙ୍ଗରପାଲି ବ୍ଲକ୍‌ ମଙ୍ଗସପୁର ପଞ୍ଚାୟତର ଏହି ଛୋଟିଆ ଗାଁ ପ୍ରାୟ ୨୦୪ ବର୍ଷ ପୂର୍ବେ ଗଢ଼ି ଉଠିଥିଲା। ଏ ଯାଏଁ ରାଜସ୍ବ ଗାଁର ମାନ୍ୟତା ପାଇ ନଥିବା ସାଗରପାଲିର ଜଙ୍ଗଲ ସୁରକ୍ଷାର ଇତିହାସ ଅତି ପୁରୁଣା।

Advertisment

ସ୍ୱାଧୀନତା ପରେ ପରେ ୧୯୫୬ ମସିହାରୁ ଗାଁରେ କମିଟି ଗଠନ କରି କୁର୍ଲାଡୁଙ୍ଗରିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ କାଠଚୋର ମାନି ନଥିଲେ। ଶହଶହ ଗଛ କାଟି ଘଞ୍ଚ ଜଙ୍ଗଲ ଥିବା କୁର୍ଲାଡଙ୍ଗରିକୁ ପଦା କରି ଦେଇଥିଲେ। ଏହାକୁ ଦେଖି ୧୯୭୫ରେ ଗ୍ରାମର ସାଗର ଯୁବକ ସଂଘ ଜଙ୍ଗଲ କାଟିବା ବିରୋଧରେ କଟକଣା ଜାରିକରି ଜଙ୍ଗଲ ସୁରକ୍ଷା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲେ। ଜଙ୍ଗଲର ଗଛ କାଟିବା ଲୋକକୁ ଧରି ଜରିମାନା କରାଗଲା। ୧୯୯୩-୯୪ ମସିହାରେ ସାଗରପାଲି ବନସୁରକ୍ଷା ସମିତି ଗଠନ କରାଯାଇ ସୁନ୍ଦରଗଡ଼ ବନଖଣ୍ଡରେ ପଞ୍ଜୀକରଣ କରାଯାଇଥିଲା। ସେ ସମୟରେ ୧୨୧.୪୧ ହେକ୍ଟର ପରିମିତ ତଥା ଦୀର୍ଘ ୮.୪ କିଲୋମିଟର ଲମ୍ବ କୁର୍ଲାଡୁଙ୍ଗରି ପାହାଡ଼ଟି ସଂପୂର୍ଣ୍ଣ ଲଣ୍ଡା ହୋଇଯାଇଥିଲା। ସାଗରପାଲି ଗାଁର ସାମୂହିକ ଉଦ୍ୟମ, ଶ୍ରମଦାନ, ଏକତା, ସହଭାଗିତା, ଠେଙ୍ଗାପାଳି ବ୍ୟବସ୍ଥା ତଥା ଜଙ୍ଗଲ ବିଭାଗର ସହାୟତାରେ ଧୀରେଧୀରେ ପାହାଡ଼ର ରୂପ ବଦଳିବାରେ ଲାଗିଲା।

୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆରମ୍ଭ ହେଲାପରେ ସାଗରପାଲିରେ ହୋଇଥିଲା ଅଭୂତପୂର୍ବ ପରିବର୍ତ୍ତନ। ସହଯୋଗୀ ଅନୁଷ୍ଠାନ ସେବକ ଦ୍ବାରା ସାଗରପାଲିବାସୀ ଗ୍ୟାସ୍‌ ସଂଯୋଗୀକରଣଠାରୁ ଆରମ୍ଭ କରି ଜିଆଖତ, ଛତୁଚାଷ ଆଦି ବହୁବିଧ ଆୟଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବା ପରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମିଗଲା। ପରେ ପରେ ସାଗରପାଲିର ପ୍ରତ୍ୟେକ ପରିବାର ଗୋଟିଏ ଲେଖାଏଁ ବର ଓ ଅଶ୍ବତ୍‌ଥ ଗଛ ଲଗାଇ ଆଜୀବନ ଏହାର ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ। ଗାଁଲୋକେ ପାହାଡ଼ ଚତୁଃପାର୍ଶ୍ୱରେ ଓ ଜଳାଶୟ ହିଡ଼ରେ ୫୦୦ରୁ ଅଧିକ ତାଳଗଛ ରୋପଣ କରିଛନ୍ତି। ଶ୍ରମଦାନ ମାଧ୍ୟମରେ ଟ୍ରେଞ୍ଚ ନିର୍ମାଣ ସହ ଉତ୍ତମ ଜଙ୍ଗଲ ପରିଚାଳନା ଓ ଜଗାରଖା ଯୋଗୁ ୫ ବର୍ଷ ପୂର୍ବେ ୫୨ ହେକ୍ଟର ଜମିରେ କରାଯାଇଥିବା ଚାରାରୋପଣରେ ଆଜି ୯୮ ପ୍ରତିଶତ ଗଛ ବଞ୍ଚିରହିଛି। କୁର୍ଲାଡୁଙ୍ଗରି ପାହାଡ଼ରେ ଏବେ ଶାଳ, ବିଜା, ମହୁଲ, ଚାର, ଧଉଳା, ସେନହା, ନିମ୍ବ, ସୁନାରୀ, ଅର୍ଜୁନ ଆଦି ଗଛ ସହ ଔଷଧୀୟ ବୃକ୍ଷରାଜି ହରିଡ଼ା, ବାହାଡ଼ା, ଅଁଳା, ବାସଙ୍ଗ, ଅକାଣ୍ଡବିନ୍ଧି, ଶତାବରୀ, ଭୂଇଁନିମ୍ବ ଓ ବଜ୍ରମୂଳିରେ ପରିପୂର୍ଣ୍ଣ ହୋଇଥିବା ବେଳେ ବାର୍‌ହା, ହନୁମାଙ୍କଡ଼, ଠେକୁଆ, ଝିଙ୍କ, ବିଲୁଆ ପରି ବନ୍ୟଜନ୍ତୁ, ବିଭିନ୍ନ ପ୍ରଜାତିର ସରୀସୃପ ଓ ଭଳିକିଭଳି ପକ୍ଷୀଙ୍କ ସୁରକ୍ଷିତ ବାସସ୍ଥାନ ପାଲଟିଛି। ସାଗରପାଲି ଗ୍ରାମବାସୀଙ୍କ ଜଙ୍ଗଲ ଓ ପରିବେଶ ପ୍ରତିଥିବା ଆକର୍ଷଣ ଓ ନିବିଡ଼ତାର ଜୀବନ୍ତ ପ୍ରତୀକ କୁର୍ଲାଡଙ୍ଗରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଇତିହାସ ପାଲଟିଛି।