ବାଲେଶ୍ୱରରୁ ରାଜ୍ୟର ୬୧ତମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ୬୧ତମ କରୋନା ଆକ୍ରାନ୍ତ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟୁଇଟରରୁ ଏହା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୮ ବର୍ଷ । ସେ ଜଣେ ପୁରୁଷ । ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ।

ସୂଚାନଯୋଗ୍ୟ, ବାଲେଶ୍ୱର ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଡୋଶୀ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରୁ ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ଗତକାଲି ୧୨ ଘଟିକା (ମଧ୍ୟରାତ୍ର) ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥି ମଧ୍ୟରୁ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୦.୭ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରୁକୁ ଫେରିଛନ୍ତି ୨୪ ଜଣ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସକ୍ରିୟ ଥିବା ୩୬ ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ସମ୍ବନ୍ଧିତ ଖବର