ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ହାଉସିଂବୋର୍ଡ଼ କଲୋନି ଛକରୁ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍‌ ଘଟଣା ପର୍ଦ୍ଦାଫାସ୍‌ କରିଛି ପୁଲିସ। ଲୁଟ୍‌ ହୋଇଥିବା ୯ଲକ୍ଷ ୪୦ହଜାର ଟଙ୍କା ଜବତ କରିବା ସହିତ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସପ୍ତମ ଲାଇନ୍‌ର ଥବିର ପାତ୍ର(୩୪) ବୋଲି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ସୂଚନା ଦେଇଛନ୍ତି। ଗୋସାଇଁ ନୂଆଗାଁ ଥାନା କେସ୍ ନମ୍ବର ୧୩୫/୨୧ରେ ଅଭିିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ନିବାସୀ ସୀମାଞ୍ଚଳ ହାଉସିଂବୋର୍ଡ଼ କଲୋନି ଛକରେ ଏକ ଆକ୍ବାରିୟମ୍‌ ଦୋକାନ କରିଛନ୍ତି। ସେଠାରେ ସେ ଆଉ ଏକ ଆକ୍ବାରିୟମ୍‌ ସୋ’ ରୁମ୍‌ ତିଆରି କରୁଛନ୍ତି। ଏଥିପାଇଁ ସେ ମିଲିଟାରି ଲାଇନ୍‌ ସ୍ଥିତ ଜଣେ ବ୍ୟବସାୟୀଙ୍କ ଠାରୁ ଗତ ୬ତାରିଖରେ ୯ଲକ୍ଷ ୪୦ହଜାର ଟଙ୍କା ଧାର ଆଣିଥିଲେ। ରାତି ପ୍ରାୟ ୯ଟା ବେଳେ ସୀମାଞ୍ଚଳ ତାଙ୍କର ସ୍କୁଟି ଡିକିରେ ଟଙ୍କା ରଖି ହାଉସିଂବୋର୍ଡ଼ ସ୍ଥିତ ଦୋକାନକୁ ଆସିଥିଲେ। ଦୋକାନ ବାହାରେ ଗାଡ଼ି ରଖି ସୋ’ ରୁମ୍‌ରେ କାମ କରୁଥିବା ଶ୍ରମିକଙ୍କୁ ମଜୁରି ଟଙ୍କା ଦେବାକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ଗାଡ଼ି ଡିକିରୁ ଟଙ୍କା ଗାଏବ ରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

publive-image

ଘଟଣା ଦିନ ଯେଉଁମାନେ ସୀମାଞ୍ଚଳଙ୍କ ସହିତ ଥିଲେ ସେମାନଙ୍କ ଗତିବିଧିକୁ ପୁଲିସ ଟ୍ରାକ୍‌ କରିଥିଲା। ସେହିଦିନ ଅଭିଯୁକ୍ତ ଥବିର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଥବିର ହେଉଛନ୍ତି ସୀମାଞ୍ଚଳଙ୍କ ଜଣେ ସମ୍ପର୍କୀୟ। ସୀମାଞ୍ଚଳ ଟଙ୍କା ଧରି ଦୋକାନକୁ ଆସିବେ ବୋଲି ଥବିର ପୂର୍ବରୁ ଜାଣିଥିଲେ। ସୀମାଞ୍ଚଳ ସ୍କୁଟି ଛାଡ଼ି ଯିବା ପରେ ଥବିର ଗାଡ଼ି ଡିକି ଖୋଲି ଟଙ୍କା ଧରି ଚମ୍ପଟ ମାରିଥିଲେ। ଏପରିକି ଘଟଣା ପରେ ସେ ତାଙ୍କ ମୋବାଇଲ୍‌ ବନ୍ଦ କରି ଦେଇଥିଲେ ବୋଲି ପୁଲିସ କହିଛି। ଏଣୁ ପୁଲିସକୁ ତାଙ୍କ ଉପରେ ଅଧିକ ସନ୍ଦେହ ହୋଇଥିଲା। ପୁଲିସ ତାଙ୍କୁ ଉଠାଇ ଜେରା କରରିବା ପରେ ସେ ଟଙ୍କା ଲୁଟ୍‌ କରିଥିବା ସ୍ବୀକାର କରିଥିଲେ। ପୁଲିସ ଥବିରଙ୍କ ନିକଟରୁ ୯ଲକ୍ଷ ୪୦ହଜାର ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଟାଉନ୍‌ ବିଷ୍ଣୁପ୍ରସାଦ ପତି, ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌ ଉପସ୍ଥିତ ଥିଲେ।