ରାଉରକେଲା: ସ୍ମାର୍ଟ ସିଟିରେ ବସ୍ତିର ବିକାଶକୁ ଗୁରୁତ୍ବ ଦିଆଯାଉଛି। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଡିଣ୍ଡିମ ପିଟୁଛନ୍ତି। ସହର ଭିତର ବସ୍ତିଗୁଡ଼ିକୁ ଦେଖିଲେ ବିକାଶ ବାରି ହୋଇ ପଡୁଛି। ଏବେ ସ୍ମାର୍ଟ ସିଟିରେ ପରିମଳ ବ୍ୟବସ୍ଥାକୁ ବିଗାଡୁଛି ମାଳମାଳ ଖଟାଲ। ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ସହରର ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଛି। ପିଲାମାନଙ୍କ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ସଂକ୍ରମିତ ହେଉଛନ୍ତି। ସ୍ଥାନୀୟ ବାସିନ୍ଦା ଏ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଉରକେଲା ସହରରେ ଛୋଟ ବଡ଼ ମୋଟ ପ୍ରାୟ ୫୦ରୁ ଅଧିକ ଖଟାଲ ରହିଛି। ବାସନ୍ତୀ କଲୋନି, ଝରଣା ବସ୍ତି, ଡିଏଭି ବସ୍ତି, ଡେଲିମାର୍କେଟ ମଛଲି ମାର୍କେଟ, କଳିଙ୍ଗ ବିହାର, ତରକେରା, ପାନପୋଷ, ବେଦବ୍ୟାସ, ଉଦିତନଗର ଶୀତଳପଡା, ସିଭିଲଟାଉନ୍‌ସିପ, ଖରିଆବାହାଲ ବସ୍ତି, ସେକ୍ଟର-୬ ଏଚ୍‌ ବ୍ଲକ, ସେକ୍ଟର-୧୬, ସେକ୍ଟର-୭ ଇ ବ୍ଲକ, ବଲାଙ୍ଗୀର ବସ୍ତି, ଆଜାଦ ବସ୍ତି, ମିଶ୍ରା ଖଟାଲ, ନେହେରୁ ବସ୍ତି ଆଦି ଅଞ୍ଚଳରେ ଖଟାଲ୍ ରହିଛି।

Advertisment

ଏହି ଖଟାଲ ଗୁଡ଼ିକ ଆର୍‌ଏମ୍‌ସି ଓ ଆରଏସପି ଅଧିନରେ ରହିଛି। ଖଟାଲ ମାଲିକମାନେ ଶହ ଶହ ଏକର ସରକାରୀ ଜାଗା ମାଡ଼ିବସିଛନ୍ତି। ଉଦାହରଣ ଭାବେ ୧୦ ନମ୍ବର ଓ୍ବାର୍ଡର ମାଲଗୋଦାମ ଅଞ୍ଚଳକୁ ନିଆଯାଇପାରେ। ଏଠାରେ ବର୍ଷ ବର୍ଷ ଧରି ଡ୍ରେନ୍ ସମସ୍ୟା ଲାଗିରହିଛି। ଖଟାଲରୁ ନିର୍ଗତ ଆବର୍ଜନା ରୁ ଡ୍ରେନ୍ ଜାମ ରହୁଛି। ଫଳରେ ଡ୍ରେନର ଆବର୍ଜନା ପାଣି ବସ୍ତି ରାସ୍ତାରେ ଲହଡ଼ି ମାରୁଛି। କେବଳ ସେତିକି ନୁହେଁ, ଏଠାରେ ୨ ଟି ନଳକୂପ ରହିଛି। ନଳକୂପ ନିକଟରେ ଗୋବର ଗଦା ହେବା ସହ ଖଟାଲର ଆବର୍ଜନା ପାଣି ଜମୁଛି। ଗତ ବର୍ଷ ଏହି ବସ୍ତିରୁ ୪ ଶହରୁ ଅଧିକ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଆର୍‌ଏମ୍‌ସି ପକ୍ଷରୁ ମଶା ଧୂଆଁ ଦେବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏସବୁ କିଛି ବସ୍ତିରେ କରାଯାଉ ନାହିଁ। ସ୍ଥାନୀୟ ଲୋକ କହିଛନ୍ତି, ଖଟାଲ ମାଲିକ ଶହ ଶହ ଗାଈ ମଇଁଷି ରଖୁଛନ୍ତି। କ୍ଷୀର, ଦହି ଓ ଘିଅ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଛୋଟ ଡ୍ରେନରେ ଗୋବର ଆବର୍ଜନା ପାଣି ଆସି ଡ୍ରେନ୍ ଜାମ ହେଉଛି। ଦୈନନ୍ଦିନ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ପରିବେଶ ଅସ୍ବାସ୍ଥ୍ୟକର ସୃଷ୍ଟି ହେବା ଫଳରେ ଗତ ବର୍ଷ ଏଠାରୁ ଡେଙ୍ଗୁ ରୋଗୀ ବାହାରି ଥିଲେ। ଏନେଇ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଛୁ। କିନ୍ତୁ କାର୍ଯ୍ୟକାରୀ ହେଉନି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।