କୋରାପୁଟ: ମୁଣ୍ଡ ଉପରେ ଖରାର ତାତିକୁ ବଳି ଯାଉଛି ପେଟର ଭୋକ। ମା’କୁ ନ ଦେଖି ଡହଳବିକଳ ହେଉଛି ଦେଢ ବର୍ଷର ଶିଶୁ। ଥରେ କାନ୍ଦିବା ଆରମ୍ଭ କଲେ କାନ୍ଦ ବନ୍ଦ ହେଉନି। ବାହୁନି ବାହୁନି କାନ୍ଦୁଛି ଯେ ନିଦ ହେଲା ଯାଏ। ଶୋଇଗଲେ ଶୁଭୁନି କାନ୍ଦ। କି ରାତି କି ଦିନ ଗତ ୧୭ ଦିନ ହେଲା ମା’କୁ ନ ଦେଖି କାନ୍ଦି କାନ୍ଦି ଗଡି ଯାଉଛି ।କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଖଜୁରିଗୁଡା ଗାଁର ରିକୁ। ସଇତାନ ବାପାର ଧାରୁଆ ଅସ୍ତ୍ରରେ ମା’ ଦଶୁ ଆଜିକୁ ୧୭ ଦିନ ହେବ ଆଖି ବୁଜିଛି। ବାପା ଲାଇଛନ ଗୌଡ ମା’ ଦଶୁକୁ ହତ୍ୟା କରିବା ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ରିକୁ ଓ ତା ବଡ ଭଉଣୀ ସରିତା। ବୁଢି ଆଇମା ଅଣ୍ଟାରେ ଆଉ ଜୁନୁନ ଥିବାରୁ ଏମାନଙ୍କୁ ମିଳୁନି ମୁଠାଏ ଖାଇବା। ବାପା ଲଇଛନ ହତ୍ୟା କରି ଚମ୍ପଟ ମାରିଥିବାରୁ ପୁଲିସ ଆସି ଖୋଜି କରି ଯାଉଛି। ଫଳରେ ଗାଁ ଲୋକେ କି ପଡ଼ିଶା ଏହିମାନଙ୍କୁ ଖାଇବାକୁ ଦେଉ ନାହାନ୍ତି। କିଛି ସହୃଦୟ ପୁଲିସ କର୍ମଚାରୀଙ୍କ ବଦାନ୍ୟତାରେ ସେମାନଙ୍କ ମୁହଁକୁ ଦାନା ସିନା ଯାଉଛି ହେଲେ ରିକୁ ଓ ସରିତାକୁ ମାର ସ୍ନେହ ଓ ଆଦର ମିଳୁନି।
ଚଳିତ ମାସ ୯ ତାରିଖ ଥିଲା ଶନିବାର। ଗାଁରେ ଚାଲିଥିଲା ଚଇତ ପରବର ମାହୋଲ। ପିଲାଠୁ ବୁଢା ସବୁ ନାଚ ଗୀତରେ ମସଗୁଲ ରହିଥିଲେ। ନିଶାର୍ଦ୍ଧର ଶେଷ ପ୍ରହରରେ ନିଶାଶକ୍ତ ଥିଲା ଲାଇଛନ। ହଠାତ ଘରକୁ ଆସିଥିଲା। ଦିଶୁକୁ ମାଗିଥିଲା ପରିବାର ନିୟନ୍ତ୍ରଣ ପାଇଁ ଆସିଥିବା ୫ ହଜାର ଟଙ୍କା। ଗାଁର ଅନ୍ୟ ମହିଳାଙ୍କ ନିକଟକୁ ଏହି ଅର୍ଥ ଆସିଛି ବୋଲି ଦିଶୁ ସହ କରିଥିଲା ଝଗଡା। ଲୁଚାଇ ରଖିଚୁ ବୋଲି କହି କରିଥିଲା ମାରଧର। ହଠାତ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ଦିଶୁଙ୍କୁ ଆକ୍ରମଣ କରିବା ସହ ବେକକୁ ଅତ୍ୟନ୍ତୟ ବିଭଶ୍ଚ ଭାବେ କାଟି ଦେଇଥିଲା। ଏହି ସମୟରେ ରୀକୁ ମା କୋଳରେ ଶୋଇଥିବାରୁ ପ୍ରଥମେ ତ ଜାଣି ପାରି ନ ଥିଲା, କିନ୍ତୁ ପରେ ରକ୍ତରେ ଜୁଡୁବୁଡୁ ହେବାରୁ ଜୋରରେ କାନ୍ଦି ଉଠିଥିଲା। ରିକୁର କାନ୍ଦ ଶୁଣି ସରିତା ମଧ୍ୟ କାନ୍ଦିଥିଲା।
ଏହାପରେ ଗାଁ ଲୋକେ ସବୁ ପଳାଇ ଆସିବାରୁ ଲଇଛନ ସେଠାରୁ ଚମ୍ପଟ ମାରିଥିଲା। କିଏ କିଛି ବୁଝିବା ଆଗରୁ ଦିଶୁ ଜୀବନ ଛାଡିସାରିଥିଲା। ସେହିଦିନଠାରୁ ରିକୁକୁ ସରିତା ବୁଝାସୁଝା କରିଥିଲେ ବି ବୁଢି ଆଇମା ଖାଦ୍ୟ ଯୋଗାଡ କରିବାରେ ଲାଗିଛି। ବୁଢିମା ବୟସର ଅପରାହ୍ନରେ ରହିଥିବାରୁ ଅଣ୍ଟାରେ ଆଉ ଜୁ ନାହିଁ ଯେ ଜମିରେ ଖଟି ଏହି ଦୁଇ ନିଷ୍ପାପ ଶିଶୁଙ୍କ ମୁହଁରେ ଦେବ ଖାଇବା। କିନ୍ତୁ ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବା କଥା କିନ୍ତୁ ଏହାକୁ ଆଡ ଆଖିରେ ଦେଖୁନାହିଁ। ଖାଇବା ଟିକକ ପାଇଁ ବୁଢି ମା ସହ ରିକୁ ଓ ସରିତା ଆଉଟିପାଉଟି ହେଉଥିବାବେଳେ ଚେଇଁ ଶୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ମାଳ ମାଳ ଏନଜିଓ। ସରକାରଙ୍କଠାରୁ ଟଙ୍କା ନେଇ ଏଜଜିଓମାନେ ଘରେ ବସିଥିବାବେଳେ ଲଇଛନ ଆସି ଯେ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରି ଖାଇବାକୁ ଦେବ ତାହା ଅଜଣା। ତେବେ କିପରି ଏହି ଦୁଇ ଶିଶୁଙ୍କ ମୁହଁକୁ ଦାନା ଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଅନ୍ୟପଟେ ଲାଇଛନକୁ ଧରିବାକୁ ସଦର ପୁଲିସ ବିଛାଇଛି ଜାଲ। ଆଇଆଇସି ୟାକୁ ଧରିବାକୁ ଦିନ ରାତି ଏକ କରିଥିବାବେଳେ ୫୫/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ଯଦି ଲାଇଛନ ଧରା ପଡେ ତେବେ ବିଚାରଧୀନ କଏଦୀ ଭାବେ କାଳ କାଟିବ। ହେଲେ ଏହି ଦୁଇ ଶିଶୁର ଆଖିର ଲୁହ ତାହା ଦେଖିବାକୁ ବାକି ରହିଲା।