ଦେଢ଼ କୋଟିର କାଜୁ ୧୪ ଲକ୍ଷରେ ବିକିଥିଲେ: ଗିରଫ ହେବେ ବିଡିଓ, ଆଇଆଇସି ଓ ଏସ୍‌ଆଇ

ଗିରଫଦାରି ଏଡ଼ାଇବାକୁ ଆଗୁଆ ଜାମିନ୍‌ ପାଇଁ ଉଦ୍ୟମ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ମାଣ୍ଡିମେରା ଠାରେ କାଜୁ ବୋଝେଇ ଟ୍ରକ୍‌ରୁ ଗ˚ଜେଇ ଜବତ ଘଟଣା ଚାଞ୍ଚଲ୍ୟକର ମୋଡ଼ ନେଇଛି। ଗତକାଲି ଗଜପତି ଏସ୍‌.ପିଙ୍କ ନିର୍ଦ୍ଦେଶରେ ମୋହନା ବିଡିଓ ଅଡ଼ବା ଥାନା ତତ୍କାଳୀନ ଆଇଆଇସି, ଥାନାର ଜଣେ ଏସ୍‌ଆଇ, ଯୋଗାଣ ନିରୀକ୍ଷକଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। କୋର୍ଟ ଆଦେଶ ଅବମାନନା କରି ଚଞ୍ଚକତାପୂର୍ଣ ଭାବେ ନିଲାମ୍‌ କରିବା, ଜବତ ଦେଢ଼ କୋଟି ଟଙ୍କାର କାଜୁକୁ ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ମୋହନା ବିଡିଓ ବ˚ଶୀଧର ଖୋସ୍‌ଲା, ତତ୍କାଳୀନ ଥାନା ଆଇଆଇସି ତପନ କୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ ହୋଇଛି। ବର୍ତମାନ ସେମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ଗଜପତି ଏସ୍‌.ପି. କହିଛନ୍ତି। ତେବେ, ଗିରଫଦାରି ଏଡ଼ାଇବାକୁ ସେମାନେ ଉପର କୋର୍ଟରୁ ଅଗ୍ରୀମ ଜାମିନ୍‌ ଆଣିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଗତ ଅଗଷ୍ଟ ୨୪ ତାରିଖ ଘଟଣା। ଅଡ଼ବା ଥାନା ଅଧୀନ ମାଣ୍ଡିମେରା ଠାରେ ପୁଲିସ ଏକ କାଜୁ ବୋଝେଇ ଟ୍ରକ୍‌କୁ ସନ୍ଦେହରେ ଅଟକାଇ ଯାଞ୍ଚ୍‌ କରିଥିଲା। ସେଥିରୁ ୧୭ ଟନ ୮୧୪ କିଲୋ କାଜୁ ସହିତ ୩ କ୍ବିଣ୍ଟାଲ୍‌ ୪୪ କେଜି ଗ˚ଜେଇ ଜବତ କରା ଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଜବତ କାଜୁକୁ ନିଲାମ କରା ଯାଇଥିଲା। ୧୭ ଟନ୍‌ରୁ ଅଧିକ କାଜୁ ମାତ୍ର ୧୪ ଲକ୍ଷ ଟଙ୍କାରେ ଆନ୍ଧ୍ରପ୍ରଦେଶ ପଲାସାର କାଜୁ ବ୍ୟବସାୟୀ କେ. ରବି କୁମାରଙ୍କୁ ନିଲାମରେ ବିକ୍ରି କରା ଯାଇଥିଲା। ଏ ସ˚ପର୍କରେ କୋର୍ଟରେ ବିବରଣୀ ଦାଖଲ କରା ଯାଇଥିଲା। କିନ୍ତୁ, ଏଥିରେ କୋର୍ଟ ସନ୍ତୁଷ୍ଟ ନ ହୋଇ ଘଟଣାର ତଦନ୍ତ କରିବାକୁ ଗଜପତି ଏସ୍‌.ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶରେ ଏଏସ୍‌ପି ସୀତାରାମ ଶତପଥୀ ଘଟଣାର ତଦନ୍ତ କରିବାରୁ ଏକ ବଡ଼ ଧରଣର ଘୋଟାଲା ହୋଇଥିବା ଜଣା ପଡ଼ିଥିଲା। ବାସ୍ତବରେ ତାହା ଚୋପା ଛଡ଼ା କାଜୁ ଯାହାର ମୂଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଚଞ୍ଚକତା କରି ଅଧିକାରୀମାନେ ସମ୍ମିଳିତ ଭାବେ ରବିଙ୍କ ଠାରୁ ବେଶ୍‌ ମୁନାଫା ନେଇ ତାଙ୍କୁ ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ତଦନ୍ତରୁ ଧରା ପଡ଼ିଥିଲା।

ଗତ ନଭେମ୍ବର ୧୭ ତାରିଖରେ ଏଏସ୍‌ପି ଶ୍ରୀ ଶତପଥୀ ତଦନ୍ତ ରିପୋର୍ଟ ଦେଇଥିଲେ। ରିପୋର୍ଟ ପାଇବା ପରେ ଗଜପତି ଏସ୍‌.ପି ତପନ ପଟ୍ଟନାୟକ ପ୍ରଥମେ କାଜୁ ଓ ଗ˚ଜେଇ ଜବତ ମାମଲାର ତଦନ୍ତ କରୁଥିବା ଅଡ଼ବା ଥାନା ସବ୍‌ ଇନ୍‌ସପେକ୍ଟର ଆଲୋକ ର˚ଜନ ଜଗଦଲାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତାପରେ, ସ˚ପୃକ୍ତ ୬ ଜଣ ଅର୍ଥାତ୍ ମୋହନା ବିଡିଓ ବ˚ଶୀଧର ଖୋସ୍‌ଲା, ତତ୍କାଳୀନ ଥାନା ଆଇଆଇସି ତପନ କୁମାର ପତି, ଏସ୍‌ଆଇ ଆଲୋକ ର˚ଜନ ଜଗଦଲା, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରା, କାଜୁ ବ୍ୟବସାୟୀ କେ. ରବି କୁମାର ଏବ˚ ଟ୍ରକ୍‌ ଡ୍ରାଇଭର ମୋହନ ରାଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାର ତଦନ୍ତ ଅଧିକାରୀ ଆର.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତଦନ୍ତ କରି ରିପୋର୍ଟ ଦେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌.ପି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର