ରାସ୍ତା ମରାମତି ନାଁରେ ଦେଢ଼ କୋଟି ଚଳୁ ଉଦ୍ୟମ

ଠିକାଦାର-ବିଭାଗୀୟ ଯନ୍ତ୍ରୀ ମଧୁଚନ୍ଦ୍ରିକା

ରାଉରକେଲା: ପୂର୍ବରୁ ରାସ୍ତା ସାମାନ୍ୟ ଖରାପ ହୋଇଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ଥିଲା। ତେବେ ଉକ୍ତ ରାସ୍ତାକୁ ମରାମତି କରିବାକୁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ଅନୁମୋଦନ କରାଗଲା। ତେବେ ମରାମତି କାମ ଏମିତି ଯେ, ଦିନକ ପରେ ତାହା ଉଠିଯାଉଛି। କେବଳ ପିଚୁ ରାସ୍ତା ଉପରେ ପିଚୁ ଦେଇ ତଥାକଥିତ ମରାମତି କରାଯାଉଛି। ସଂପ୍ରତି କୋଏଲନଗରରେ ଚାଲିଥିବା ବିଭିନ୍ନ ରାସ୍ତା ମରାମତି କାମରେ ଏଭଳି ଖୋଲା ଦୁର୍ନୀତି ଦେଖିବାକୁ ମିଳିଛି।

ପଞ୍ଚାୟତ ନିର୍ବାଚନ ଆଢ଼ୁଆଳରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ବଡ଼ ଧରଣର ଦୁର୍ନୀତିର ପ୍ରୟାସ ହେଉଥିଲା। ନେତା, ଅଧିକାରୀ ଓ ଅମଲାତନ୍ତ୍ର ନିର୍ବାଚନରେ ବ୍ୟସ୍ତ ଥିବାବେଳେ ରାସ୍ତା ମରାମତି ନାଁ ରେ ମିଳିମିଶି ଚଳୁ କରିଦେବାକୁ ଚକ୍ରାନ୍ତ ହେଉଥିଲା। ତେବେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧପରେ ପଦାରେ ପଡ଼ିଯାଇଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା।

ସ୍ମାର୍ଟସିଟି ରାଉରକେଲା ଅନ୍ତର୍ଗତ କୋଏଲନଗରର ଏ’ ବ୍ଲକ, ବି’ ବ୍ଲକ, ସି’ ବ୍ଲକ, ଡି’ ବ୍ଲକ ଆଦି ଅଞ୍ଚଳରେ ରାସ୍ତା ମରାମତି କାମ ଚାଲିଛି। ଦୁଇଟି ଟେଣ୍ଡର୍‌ରେ ପାଖାପାଖି ୧.୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ତେବେ ସଦ୍ୟ ମରାମତି ରାସ୍ତାର ସ୍ଥିତି ଦେଖିଲେ, ଅର୍ଥ ଚଳୁ କରିବାର ଅପପ୍ରୟାସ ସ୍ପଷ୍ଟ ପରିଲକ୍ଷିତ ହୁଏ। ମାତ୍ର ଦୁଇ ସପ୍ତାହ ତଳେ ନିର୍ମାଣ ହୋଇଥିବା ରାସ୍ତା ସମ୍ପୂର୍ଣ୍ଣ ଅସ୍ତିତ୍ୱ ହରାଇସାରିଲାଣି। ରାସ୍ତାରେ କେଉଁଠି ଆଦୌ ପିଚୁ, ଚିପ୍‌ସ ଉଠିସାରିଥିବାବେଳେ କେଉଁଠି ହାତ/ଗୋଡ଼ରେ ଆଡ଼େଇଦେଲେ ସବୁ ବାହାରିଯାଉଛି।

ଏମିତିକି ମରାମତି ପରେ ମଧ୍ୟ ରାସ୍ତା ଉପରେ ବଡ଼ବଡ଼ ଖାଲଢ଼ିପ ରହିଛି। ପ୍ରକୃତରେ ପୁରୁଣା ରାସ୍ତାଠାରୁ ଆହୁରି ଦୟନୀୟ ଅବସ୍ଥାରେ ପହଞ୍ଚିଯାଇଛି। ତେବେ ଅତି ନିମ୍ନ ମାନର କାମକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥଲେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା। ପ୍ରକୃତରେ ସ୍ମାର୍ଟସିଟି ଲିମିଟେଡ୍‌ ଓ ଆରଏମ୍‌ସି ପକ୍ଷରୁ ସହରର ରାସ୍ତାଘାଟ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନକୁ କିଭଳି ଢ଼ଙ୍ଗରେ ବିନିଯୋଗ କରାଯାଇ ହରିଲୁଟ୍‌ର ବାଟ ଖୋଲାଯାଉଛି; ତାହା ଏଥିରୁ ସ୍ପଷ୍ଟ ଜଣାପଡ଼େ।

ଏନେଇ ଆର୍‌ଏମ୍‌ସି ଯନ୍ତ୍ରୀ ଚନ୍ଦ୍ରକାନ୍ତ ଧଳଙ୍କୁ ପଚାରିବାରୁ ନିମ୍ନମାନର କାମ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। ନିୟମାନୁଯାୟୀ ରାସ୍ତା ନିର୍ମାଣ ହେଉଥିବାବେଳେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତହୀନ କହିଛନ୍ତି। ବିଡ଼ମ୍ବନା ଏହା ଯେ, ରାସ୍ତା ମରାମତି କାମକୁ ଦେଖିଲେ ଏହାର ମାନ ନେଇ ଯେ କେହି ହେଲେ ପ୍ରଶ୍ନ କରିବ। ଏମିତିକି ଅଞ୍ଚଳବାସୀ ମଧ୍ୟ ସମାନ ଅଭିଯୋଗ ଆଣିବାସହ ଏହାକୁ ବିରୋଧ କରିଥିଲେ। ଏହାସତ୍ତ୍ବେ ଯନ୍ତ୍ରୀ ଖୋଲାଖୋଲିଭାବେ ରାସ୍ତା କାମକୁ କ୍ଲିନଚିଟ୍‌ଦେବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।

ପ୍ରଶ୍ନ ଉଠୁଛି ତଦାରଖ ପାଇଁ ଗଣ୍ଡା ଗଣ୍ଡା ଯନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ ଥାଇ ସୁଦ୍ଧା ଠିକାଦାର ଏମିତି ନିମ୍ନମାନର କାର୍ଯ୍ୟ କଲେ କେମିତି? ମରାମତି କାର୍ଯ୍ୟବେଳେ ଯନ୍ତ୍ରୀ ଅନୁଧ୍ୟାନ କରିଥିଲେ କି? ଲୋକ ଅଭିଯୋଗ କରିନଥିଲେ ମାପଚୁପ କରି ବିଲ୍‌ ପୈଠ କରାଯାଇଥାନ୍ତା କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି।

ସମ୍ବନ୍ଧିତ ଖବର