କୋରାପୁଟ: ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ନିର୍ମାଣ ହେଲା ଶିଳ୍ପ ପାର୍କ। ଖର୍ଚ୍ଚ ହେଲା ୧ କୋଟି ୪୦ ଲକ୍ଷ। ସ୍ବୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଥିଲେ ସରକାର। ହେଲେ ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ନଥିବା ଏବଂ ଆବଶ୍ୟକ ମୁତାବକ କଞ୍ଚାମାଲ ନ ମିଳିବାରୁ ଆରମ୍ଭରୁ ହିଁ ଠପ୍ ହୋଇ ପଡ଼ିଛି ଶିଳ୍ପ ପାର୍କ।
୨୦୨୧-୨୨ ଆର୍ଥିକ ବର୍ଷରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଜୁଝାର ପଞ୍ଚାୟତର ପଢ଼େଇଗୁଡ଼ାରେ ୨ ଏକର ଜମିରେ କୃଷି ଉଦ୍ୟୋଗ ଶିଳ୍ପ ପାର୍କ ସ୍ଥାପନ କରିଥିଲେ ତତ୍କାଳନୀ ସରକାର। ଗୋଟିଏ ସ୍ଥାନରେ କୁକୁଡ଼ା ଚାଷରୁ ଆରମ୍ଭ କରି ଇଟା ତିଆରି ପର୍ଯ୍ୟନ୍ତ ସମସ୍ତ ଉଦ୍ୟୋଗ ପାଇଁ ହୋଇଥିଲା ବ୍ୟବସ୍ଥା। ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗରେ ନିୟୋଜିତ କରି ଆର୍ଥିକ ସ୍ବାବଲମ୍ବୀ କରିବାକୁ ବ୍ୟବସ୍ଥା କରାଗଲା। ଶିଳ୍ପ ପାର୍କ ପାଇଁ ମନରେଗାରେ ୮୬ଲକ୍ଷ, ଡିଏମଏଫ୍ ପାଣ୍ଠିରୁ ୨୦ଲକ୍ଷ, ନାଲକୋ (ଏସ୍ଡିଏ୍ଫ)ରୁ ୨୦ଲକ୍ଷ, ଏସ୍ଏଫ୍ସି ପାଣ୍ଠିରୁ ୧୨ଲକ୍ଷ, ଏସ୍ବିଏମ୍ରେ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍କରେ ୧୦ଟି ଏସ୍ଏଚ୍ଜି କାମ କରିବା ପାଇଁ ଗୃହ, ଫ୍ଲାଏ ଆସ୍ ତିଆରି ପାଇଁ ସେଡ୍, କୁକୁଡ଼ା ଚାଷ ପାଇଁ ୧୦ଟି ସେଡ୍, ଜୈବିକ ଖତ ପ୍ରସ୍ତୁତି ପାଇଁ ପିଟ୍, କଦଳୀ ଚାଷ, ଡାଲି ପ୍ରକ୍ରିୟାକରଣ ୟୁନିଟ୍, ତୈଳ ପ୍ରକ୍ରିୟାକରଣ ୟୁନିଟ୍, ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍, ଖଲିପତ୍ର ତିଆରି, ଚପଲ ତିଆରି ୟୁନିଟ୍, ମସଲା ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ମେସିନ୍ ବ୍ୟବସ୍ଥା କରାଗଲା। ସମସ୍ତ ୟୁନିଟ୍କୁ କାର୍ଯ୍ୟକାରୀ କରିବାକୁ ଏସ୍ଏଚ୍ଜିଗୁଡ଼ିକୁ ଋଣ ବି ମିଳିଲା।
ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବ
ଉଦ୍ଘାଟନର ୬ ମାସ ପରେ ସବୁ ୟୁନିଟ୍ ଅଚଳ
ଜୀବିକା ସଙ୍କଟରେ ୧୨ ସ୍ବୟଂ ସହାୟକ ଗୋଷ୍ଠୀ
ପ୍ରକଳ୍ପ ଆରମ୍ଭ ହେବା ପରେ ରାଜ୍ୟର ଏକ ଆଦର୍ଶ ଶିଳ୍ପ ପାର୍କ ଭାବେ ସୁନାମ ଅର୍ଜନ କରିଥିଲା ଏହି ପ୍ରକଳ୍ପ। ଏହି ମଡେଲକୁ ଅନ୍ୟ ଜିଲ୍ଲାରେ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେବା ସହିତ ଜନପ୍ରତିନିଧି ଓ ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏକ୍ସପୋଜର୍ ଭିଜିଟ୍ରେ ଅଣାଯାଇଥିଲା। ହେଲେ ପରିଚାଳନାଗତ ତ୍ରୁଟି, କଞ୍ଚାମାଲର ଅଭାବ କାରଣରୁ ଶିଳ୍ପ ପାର୍କ ଗୁରୁତ୍ବ ହରାଇବା ସହ ସ୍ଥାଣୁ ଅବସ୍ଥାକୁ ଚାଲିଗଲା। ବର୍ତ୍ତମାନ ଗୋଟିଏ ପ୍ଲାଏ ଆସ୍ ୟୁନିଟ୍ ଚାଲିଥିବା ବେଳେ ଅନ୍ୟ ସବୁ ୟୁନିଟ୍ ଭୂତକୋଠି ହୋଇ ପଡ଼ିଛି।
ପ୍ରଶାସନ ସ୍ତରରେ ଏହାକୁ ନେଇ କୌଣସି ତତ୍ପରତା ନଥିବାରୁ ଯେଉଁ ଲକ୍ଷ୍ୟ ନେଇ ସରକାର ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ତାହା ବାସ୍ତବତାଠାରୁ ଦୂରେଇ ଗଲା। କୁକୁଡ଼ା ଓ ଗୋପାଳନ ୟୁନିଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କାଁଭାଁ କିଛି ପ୍ରକ୍ରିୟାକରଣ ମେସିନ୍ ବ୍ୟବହାର ହେଉଛି। ଏ ସମ୍ପର୍କରେ ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ଏହି ଉଦ୍ୟୋଗକୁ ପୁନର୍ବାର କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ କରିଛି ବୋଲି କହିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗ୍ରାମାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ଶିଳ୍ପ ପାର୍କର ପୁନରୁଦ୍ଧାର କରୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।