ହିନ୍ଦୋଳ: ୪୦ହଜାର ଟଙ୍କାର ବିଲ୍ ପାଇଁ ୧୫ଶହ ଟଙ୍କାର ଲାଞ୍ଚ ଦାବି କରୁଥିଲେ କନିଷ୍ଠ ଯନ୍ତ୍ରୀ। ହିତାଧିକାରୀଙ୍କଠାରୁ ଟଙ୍କା ନେଲା ବେଳେ ଧରିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ସପ୍ତାହ ଚାଲିଥିବା ବେଳେ ଅନୁଗୁଳ ଭିଜିଲାନ୍ସ ଟିମ୍ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରାଙ୍କୁ ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରିଛି। ରଶ୍ମିରଞ୍ଜନଙ୍କ ଢେଙ୍କାନାଳ ସାମନ୍ତରାପୁର ଓ ଯୋରନ୍ଦା ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଚଢ଼ଉ କରି ତାଙ୍କ ଆୟ ବହିର୍ଭୂତ ସଂପତ୍ତିର ଖୋଳତାଡ଼ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରି ଢେଙ୍କାନାଳ ସ୍ବତନ୍ତ୍ର ଅଦାଲତକୁ ପଠାଯାଇଥିବା ଜଣାପଡ଼ିଛି।
ଭିଜିଲାନ୍ସ ବିଭାଗ ସୂଚନା ମୁତାବକ, ହିନ୍ଦୋଳ ଏନ୍ଏସି ୱାର୍ଡ ନମ୍ବର-୬ ଶରଧାପୁରର ଶାନ୍ତିଲତା ବେହେରାଙ୍କ ନାମରେ ସହରାଞ୍ଚଳ ଯୋଜନାରେ ଏକ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ୨୦୧୯ ମସିହାରେ କାର୍ଯ୍ୟାଦେଶ ମିଳିଥିଲା। କାର୍ଯ୍ୟାଦେଶ କ୍ରମେ ସେ ଗଲା ଛଅ ମାସ ତଳୁ ଘର ତିଆରି କରି ସାରିଛନ୍ତି। କିନ୍ତୁ, ଶେଷ କିସ୍ତି ବାବଦକୁ ସେ ୪୦ହଜାର ଟଙ୍କା ପାଇଁ ଶାନ୍ତିଲତାଙ୍କ ପୁଅ ମାନସ କନିଷ୍ଠ ଯନ୍ତ୍ରୀଙ୍କ ପାଖକୁ ବାରମ୍ବାର ଦୌଡ଼ିଥିଲେ। କିନ୍ତୁ, ଟଙ୍କା ନ ଦେଲେ ବିଲ୍ କରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ମାନସ ବାରମ୍ବାର ନେହୁରା ହେବା ପରେ ବି କନିଷ୍ଠ ଯନ୍ତ୍ରୀ ଟଙ୍କା ନଦେଲେ ବିଲ୍ କରିବେ ନାହିଁ ବୋଲି କୁଆଡ଼େ ରୋକଠୋକ୍ ଶୁଣାଇ ଦେଇଥିଲେ। ଫଳରେ ମାନସ ଏ ସଂପର୍କରେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ବିଭାଗର ପରାମର୍ଶକ୍ରମେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଅଭିଯୋଗକାରୀ ମାନସ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନଙ୍କୁ ତାଙ୍କ ହିନ୍ଦୋଳ ଏନଏସି ଅଫିସ୍ରେ ଦେଢ ହଜାର ଟଙ୍କା ଲାଂଚ ଦେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଚଢଉକାରୀ ଦଳ ତାଙ୍କୁ କାବୁ କରି ନେଇଥିଲେ। ଭିଜିଲାନ୍ସ ଡିଏସ୍ପି ଏସ୍.କେ. ମହାନ୍ତିଙ୍କ ନେତୃତ୍ବରେ ଇନସ୍ପେକ୍ଟର ପି.କେ. ସାମଲ, ଏସ୍ଆଇ ସିଦ୍ଧାର୍ଥ ରାଉତ ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଆଉ ଦୁଇଟି ଅନୁରୂପ ମାମଲା ରୁଜୁ ହୋଇ ଏବେ ବି ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ରହିଛି। ସେ ୨୦୧୮ ମସିହାରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଥିବା ସମୟରେ ୫୦ ହଜାର ଟଙ୍କାର ଲାଂଚ ନେଉଥିଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ପୁନର୍ବାର ସେହିବର୍ଷ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା।