ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସ୍ଡିଜେଏମ୍ କୋର୍ଟରେ ଆଜି ଏକ ଅଭିନବ ଚୋରି ମାମଲାର ବିଚାରଣା ଶେଷପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏକ ଚାହା ଦୋକାନରୁ କେଟିଲି ସହିତ କିଛି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ମାମଲାର ବିଚାର କରି ଏସଡିଜେଏମ୍ ମନସ୍ବିନୀ ରଥ ମାମଲାର ଅଭିଯୁକ୍ତ ଶିବରାମ ପଣ୍ଡାଙ୍କୁ ଦେଢ଼ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ରହିଲେ ୨ ମାସ ଅଧିକ ଜେଲ୍ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।
ସୂଚନାନୁସାରେ, ବେଲଗୁଣ୍ଠା ଛକରେ ବିନାୟକ ସାହୁଙ୍କ ଚାହା ଦୋକାନରୁ ଗତବର୍ଷ ଡିସେମ୍ବର ୧୮ ତାରିଖ ରାତିରେ ଚୋରି ହୋଇଯାଇଥିଲା। କବାଟ ଭାଙ୍ଗି ଦୋକାନ ଭିତରୁ ଚାହା କେଟିଲି ସହ ୪ହଜାର ୫୦୦ ଟଙ୍କା ଏବଂ କିଛି ସାମଗ୍ରୀ ଚୋରି ହୋଇଥିବା ନେଇ ବେଲଗୁଣ୍ଠା ଥାନାରେ ବିନାୟକ ଏତଲା ଦେଇଥିଲେ। ଏହି ଘଟଣାରେ ଶିବରାମଙ୍କୁ ଗିରଫ କରାଯାଇଥିଲା।