ଜିଲ୍ଲାପାଳଙ୍କ ଅନୁମତିକୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର: ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ମୋଟର ସାଇକେଲରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ ମିଥ୍ୟା ଗୁଜବ ପ୍ରଚାର କରି ଯୁବକ ଗିରଫ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିପାରିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅନୁମତି ଦେଇଛନ୍ତି |

India Today

ଏଥିରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ସୋସିଆଲ ମିଡିଆରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଫଟୋ ଥାଇ ଏଭଳି ଗୁଜବ ପ୍ରଚାର କରି ଲୋକଙ୍କ ମନରେ ସନ୍ଦେହ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗରେ ଯୁବକଙ୍କୁ ରେମୁଣା ପୁଲିସ ଗିରଫ କରିଛି |

ଏହି ଯୁବକଙ୍କ ନାମ ଶିବଶଙ୍କର ପରିଡା(୨୬) ହୋଇଥିବାବେଳେ ତାଙ୍କ ବିରୁଦ୍ଧରେ ରେମୁଣା ଥାନାରେ ଆଇପିସିର ୧୮୮/୧୮୨/୨୯୦/୨୭୧/୫୦୫ ଧାରା ଅନୁଯାୟୀ କେସ ନମ୍ବର ୬୨-୩୧.୦୩.୨୦ ରୁଜୁ କରାଯାଇଛି | ଆଗକୁ ଏଭଳି ଗୁଜବ ପ୍ରଚାର କଲେ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି |

ସମ୍ବନ୍ଧିତ ଖବର