ସୁନ୍ଦରଗଡ଼: ଅଧିକ ବୋଝେଇ (ଓଭରଲୋଡିଂ) ଗାଡ଼ିକୁ ଜାରିମାନା କରିବାରୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗର ଟ୍ରାଫିକ ନିରୀକ୍ଷକ ଜିତେନ୍ଦ୍ର କୁମାର ମୁର୍ମୁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଘଟଣାରେ ଗାଡ଼ି ମାଲିକ ଗିରଫ ହୋଇଛନ୍ତି। ଅନ୍ୟ ୪ ସହଯୋଗୀ ଫେରାର ହୋଇଯାଇଛନ୍ତି। ଗିରଫ ଗାଡ଼ି ମାଲିକ ହେଲେ ଝାରସୁଗୁଡ଼ାରେ ରହୁଥିବା ସମ୍ବଲପୂର କତରବଗା ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ। ଗତ ୨୧ ତାରିଖ ଅପରାହ୍ନରେ ଭଷ୍ମା ଥାନା ଅନ୍ତର୍ଗତ ମସ୍ନିକାନୀ ଟୋଲ୍ ଗେଟ୍ ନିକଟରେ ଟ୍ରାଫିକ ନିରୀକ୍ଷକ ଶ୍ରୀ ମୁର୍ମୁ ଗାଡ଼ି ମାଟରର ଯାଞ୍ଚ କରୁଥିଲେ।
ଏହି ସମୟରେ ଏକ ମେଟାଲ ବୋଝେଇ ଗାଡ଼ି ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ତାକୁ ଅଟକାଇ ଟ୍ରାଫିକ ନିରୀକ୍ଷକ ଯାଞ୍ଚ କରିବାରୁ ତାହା ଓଭରଲୋଡ୍ ଥିବା ଜଣାପଡ଼ିଥିଲାେ। ଏହା ପରେ ନିରୀକ୍ଷକ ଗାଡ଼ିକୁ ୫୪ ହଜାର ଟଙ୍କା ଜରିମାନା କରିଥିଲେ। ଡ୍ରାଇଭରଙ୍କ ଠାରୁ ସୂଚନା ପାଇ ଗାଡ଼ି ମାଲିକ ଶ୍ରୀ ପ୍ରଧାନ ୪ ଜଣ ସହଯୋଗୀଙ୍କ ସହ ଆସି ଟ୍ରାଫିକ ନିରୀକ୍ଷକଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଭଷ୍ମା ଥାନାରେ ନିରୀକ୍ଷକ ଶ୍ରୀ ମୁର୍ମୁ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଲାଇଥିଲା। ଏହିକ୍ରମରେ ବୁଧବାର ଗାଡ଼ି ମାଲିକ ରାଜେନ୍ଦ୍ର ପ୍ରଧାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୁଲିସ। ଫେରାର ଥିବା ଅନ୍ୟ ୪ ସହ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡ଼ିବେ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-22a.jpg)