କାଳିଆପାଣି : କାର୍ ଅଟକାଇ ଦାଦା ବଟି ମାଗିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଡଙ୍କାରିସାହିର ନିରଞ୍ଜନ ଡାଙ୍ଗୁଆ(୨୬)। ଟମକା ଥାନା ଡୁବୁରି-ନରଣପୁର ଭିଆଇପି ରୋଡର ମହାନ୍ତସାହି-ସମରପିଟା ସାନକଟିଂ ପାଖରେ ଗତକାଲି ରାତିରେ ଟାଟା ଷ୍ଟିଲ କର୍ମଚାରୀ ସୌମ୍ୟରଂଜନ ପଣ୍ଡା କାର୍ (ଜେଏଚ୍ ୦୫ ସିଜି ୬୪୯୮) ଚଳାଇ ଯାଉଥିଲେ। ତାଙ୍କୁ ନିରଞ୍ଜନ ଓ ଅନ୍ୟଜଣେ ଅଟକାଇ ଦାଦାବଟି ମାଗିଥିଲେ। ତାଙ୍କ ଗାଡ଼ିକୁ ଢେଲା ମାରିଥିଲେ। ଏଥିରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୌମ୍ୟରଂଜନ ଥାନାରେ ଏତଲା ଦେଇଛନ୍ତି। ଏହାକୁ ଭିତ୍ତିକରି ଆଇପିସି ଦଫା ୩୪୧, ୩୩୬, ୪୨୭, ୫୦୬/୩୪ ଆଧାରରେ ଟମକା ଥାନାରେ ଏକ କେସ୍ ୯୫/୨୧ ରୁଜୁ ହୋଇଛି।
ପୁଲିସ ସୂଚନା ଅନୁସାରେ କଳିଙ୍ଗନଗର ଟାଟାଷ୍ଟିଲ କର୍ମଚାରୀ ପଣ୍ଡା ନିଜ କାରରେ ବ୍ରାହ୍ମଣୀପାଳ ଟାଟା କଲୋନିସ୍ଥିତ କ୍ବାର୍ଟର୍ସକୁ ଯାଉଥିବାବେଳେ ରାସ୍ତା ମଝିରେ ୨ ଯୁବକ ତାଙ୍କୁ ଅଟକାଇ ବଟି ମାଗିଥିଲେ। ଶ୍ରୀ ପଣ୍ଡା ଗାଡ଼ି ଚଳାଇ ସେଠାରୁ ପଳାଇବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତଦ୍ବୟ ଢେଲା ମାରିଥିଲେ। ପୁଲିସ ଏହାର ତଦନ୍ତକ ନିରଞ୍ଜନକୁ ଗିରଫ କରିଥିବାବେଳେ ତା’ର ସହଯୋଗୀ ଫେରାର୍ ଅଛି।
ସୂଚନାଯୋଗ୍ୟ ଯେ ଗତବର୍ଷ ସମାନ ଢଙ୍ଗରେ ଏକାଧିକ ଯୁବକ ସଂଘବଦ୍ଧ ଭାବେ ଅନ୍ୟ ଜଣେ ଟାଟା କର୍ମଚାରୀଙ୍କ ଗାଡ଼ିକୁ ରାତିରେ ଠେଙ୍ଗା ଧରି ଗୋଡ଼ାଉଥିବାର ଦୃଶ୍ୟ ମୋବାଇଲରେ ଭାଇରାଲ୍ ହୋଇଥିଲା। ପରେ କଳିଙ୍ଗନଗର ପୁଲିସ ଡୁବୁରି ଓ ଆଖପାଖ ଇଲାକାରେ ଚଢ଼ଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/arrest.jpeg)