କଟକ : ଲେବର କଲୋନି ଗଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ପୁଲିସ ବିଳମ୍ବରେ ପହଞ୍ଚିବା ଅଭିଯୋଗରେ ପିସିଆର‌୍‌ ଭ୍ୟାନ୍‌ ଏସ୍‌ପିଓଙ୍କୁ ସ୍ଥାନୀୟ ଲୋକେ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ କରିଛନ୍ତି। ଏ ସ˚କ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ପରେ ପୁଲିସ ରାଜାବଗିଚାର ସୁଶାନ୍ତ କୁମାର ସ୍ବାଇଁ ନାମକ ଜଣେ ଯୁବକକୁ ଥାନାକୁ ଉଠାଇ ଆଣିଛି। ଏହି ଘଟଣାରେ ଆଉ ୩ରୁ ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା କୁହାଯାଉଛି।

Advertisment

ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ୯ଟା ବେଳେ ପିଠାପୁରର କୁଳମଣି ବାରିକ ବାଦାମବାଡ଼ି ଥାନା ଲେବର କଲୋନି ଗଡ଼ା ନିକଟରେ ଲୁନାରେ ଯାଉଥିବା ବେଳେ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ବାଦାମବାଡ଼ି ଥାନାକୁ ଖବର ଦେଇଥିଲେ ବି ପୁଲିସ ଠିକ୍‌ ସମୟରେ ନ ଆସିବାରୁ ଲୋକେ ରାସ୍ତା ଉପରେ ହୋ-ହଲ୍ଲା କରିଥିଲେ। ପୁଲିସ ସେଠାରେ ପହଞ୍ଚି କୁଳମଣିଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ବି ସ୍ଥାନୀୟ ଲୋକଙ୍କ ରୋଷରୁ ବର୍ତ୍ତି ପାରି ନ ଥିଲା। ପିସିଆର‌୍‌ ଭ୍ୟାନ୍‌ର ଏସ୍‌ପିଓ ରାମଚନ୍ଦ୍ର ନାୟକଙ୍କୁ କିଛି ଯୁବକ ଘେରିଯାଇ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ଆଇଆଇସି ହିମା˚ଶୁ ଭୂଷଣ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପୁଲିସକୁ ଦୁର୍ବ୍ୟବହାର କରିଥିବା ଯୁବକମାନେ ଫେରାର ହୋଇ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ, ପୁଲିସ ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି।