ଗରିବ ପିଲାଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗାଁରେ ଗରିବ ପିଲାଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ବୁର୍ଜା ଗ୍ରାମର ଜଣେ ଯୁବକକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଅଶ୍ବିନି କୁମାର ଖରା ବୋଲି ପୋଲିସ ପ୍ରକାଶ କରିଛି।

ଅଶ୍ବିନି ମିଛ ପ୍ରଲୋଭନ ଦେଖାଇ ଗାଁର ଅନେକ ଗରିବ ପିଲାଙ୍କ ଠାରୁ ଟଙ୍କା ଆଦାୟ କରିଥିବାକୁ ନେଇ ଲକ୍ଷ୍ମୀପୁର ଥାନାରେ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଛି। କରୋନା ମହାମାରିକୁ ନେଇ ରାଜ୍ୟ ସରକାର ପ୍ରତ୍ୟେକ ଗରିବ ପିଲାଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ ବୋଲି କହି ଶହେରୁ ଉର୍ଧ ଲୋକଙ୍କ ଠାରୁ ଆଧାରକାର୍ଡ ଜେରକ୍ସ, ପାସବୁକ୍ ଜେରକ୍ସ ସହ ଖର୍ଚ ପାଇଁ ଶହେ ଟଙ୍କା ଲେଖା ଦିଅ ବୋଲି କହି ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ ଠକେଇ ବୋଲି ଜାଣିବା ପରେ
ପିଲାମାନେ ନିଜନିଜ ଟଙ୍କା ମାଗିବାରୁ ଲକ୍ଷ୍ମୀପୁର ଆସିଲେ ଦେଖି ଦେବି ବୋଲି ଅଶ୍ବିନି ଧମକ ଦେଇଥିଲା ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ବିରିଗୁଡା ଗ୍ରାମର କୃଷ୍ଣ ଚନ୍ଦ୍ର ମାଝି ଗ୍ରାମବାସୀଙ୍କ ସହମତି କ୍ରମେ ଏକ ଲିଖିତ ଅଭିଯୋଗ ଦେବା ପରେ ଧାରା ୪୨୦ ଅନୁଯାୟୀ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୌରହରି ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର