ରଣପୁର : ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗାଁର ଜଣେ ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ପୁଲିସ ହତ୍ୟା ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ଗିରଫ କରିଛି।

Advertisment

ମହତପଲ୍ଲା ଗାଁର ଜୟନ୍ତୀ ବେହେରାଙ୍କ ପୁଅ ନବମ ଶ୍ରେଣୀ ଛାତ୍ର ସୁମନ ବେହେରା (୧୪)ଙ୍କ ଗତକାଲି ବିଳମ୍ବିତ ରାତିରେ ନିଜ ସମ୍ପର୍କୀୟ ବଡ଼ ବାପା ପୁଅ ଭାଇ ସୋମନାଥ ବେହେରା (୧୯) ଙ୍କ ସହିତ ଟଙ୍କା ନେଣଦେଣକୁ ନେଇ ଗାଁ ନୂଆ ପୋଖରୀ ନିକଟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୋମନାଥ ଏକ ଦାଢୁଆ ଛୁରିରେ ସୁମନଙ୍କ ଛାତି, ମୁହଁ, କାନ ଆଦିକୁ ବାରମ୍ବାର ଆଘାତ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁମନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ତାଙ୍କ ନିର୍ଦ୍ଦ‌େଶ କ୍ରମେ ପୁଲିସ ଟିମ୍‌ ସଦଳବଳ ଗାଁରେ ପହଞ୍ଚି ସୁମନଙ୍କ ଶବ ଜବତ କରିବା ସହ ସୋମନାଥଙ୍କୁ ଗିରଫ କରିଥିବା ଜଣାଯାଇଛି। ରଣପୁର ହସ୍ପିଟାଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁମନଙ୍କ ବାପାଙ୍କ ଦୀର୍ଘ ୮ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ମା' ଜୟନ୍ତୀ ସ୍କୁଲରେ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ଭରଣପୋଷଣ କରୁଥିଲେ।