ଧମା : ସ୍ବତନ୍ତ୍ର ମାଇକ୍ରୋ ଫାଇନାନ୍ସ କମ୍ପାନି ସମ୍ବଲପୁର ଶାଖାର ଫିଲ୍ଡ ଅଫିସର୍ ଗତ ଜାନୁଆରି ୩ ତାରିଖ ଦିନ ଟଙ୍କା କଲେକ୍ସନ୍ କରି ଫେରିବା ସମୟରେ ଲୁଟ୍ର ଶିକାର ହୋଇଥିଲେ। ଏହି ମାମଲାର ମାସେ ପରେ ଧମା ପୁଲିସ ମଙ୍ଗଳବାର ଧମା ଥାନା ରଢ଼ିଆପାଲିର ଅରୁଣ ପଣ୍ଡା ଓରଫ୍ ଲିପୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ପାଖରୁ ପୁଲିସ କେବଳ ଚୋରି ହୋଇଥିବା ବ୍ୟାଗ ସାଙ୍ଗକୁ ଏକ ବାଇକ୍ ଜବତ କରିଛି। ଅଭିଯୋଗ ଅନୁଯାୟୀ ବ୍ୟାଗରେ ୮୨ ହଜାରରୁ ଅଧିକ ଟଙ୍କା ଥିଲା, କିନ୍ତୁ ଅଭିଯୁକ୍ତ ପାଖରୁ ପୁଲିସ ଟଙ୍କାଟିଏ ବି ପାଇ ନାହିଁ। ତେବେ ସେହି ଟଙ୍କା କୁଆଡ଼େ ଗଲା ତାହା ଜଣା ପଡ଼ି ନଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣକ ଫେରାର୍ ଅଛି।
ସୂଚନାଯୋଗ୍ୟ, ଫିଲ୍ଡ ଅଫିସର୍ ନାରାୟଣ ମାଝୀ ଗତ ମାସ ୩ ତାରିଖ ଅପରାହ୍ଣ ୪ଟା ସମୟରେ ଟଙ୍କା କଲେକ୍ସନ୍ କରି ସମ୍ବଲପୁର ଫେରୁଥିଲେ। ସାଲେସିଂହ ନିକଟ କେନାଲ୍ ରୋଡ୍ରେ ୨ ଜଣ ଅଜଣା ବ୍ୟକ୍ତି ବାଇକ୍ରେ ଆସି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲେ। ତାପରେ ତାଙ୍କୁ ଧମକ ଦେଇ ତାଙ୍କ ପାଖରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ନେଇ ଫେରାର୍ ହୋଇ ଯାଇଥିଲେ। ଏ ନେଇ ନାରାୟଣ ସେହି ଦିନ ଧମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଧରିଥିବା ବ୍ୟାଗରେ ୮୨,୩୦୦ ଟଙ୍କା ଥିଲା।