ତେଲ ଟ୍ୟାଙ୍କର ଡ୍ରାଇଭରକୁ ହତ୍ୟା; ଜଣେ ଗିରଫ

ଚଣ୍ଡିଖୋଲ/କଣ୍ଟିଗଡ଼ିଆ : ଜାତୀୟ ରାଜପଥ ୫(କ)ର ଶ୍ରୀରାମପୁର ଟୋଲ ଗେଟ୍ ନିକଟରୁ ହରଣଚାଲ ହୋଇଥିବା ତେଲ ଟ୍ୟାଙ୍କର(ଓଡ଼ି୦୫ ଏଏ୮୪୭୨)କୁ ଆଠମଲ୍ଲିକ ପୁଲିସ ଜବତ କରିଛି। ହାତଗୋଡ଼ ବନ୍ଧା ହୋଇଥିବା ଟ୍ୟାଙ୍କର ଚାଳକର ଶବକୁ ଧର୍ମଶାଳା ଥାନା ପୁଲିସ ଜାତୀୟ ରାଜପଥ ପାର୍ଶ୍ବ ନୟନଜୋରିରୁ ଆଜି ଜବତ କରିଛି। ଟ୍ୟାଙ୍କର ଅପହରଣ ଘଟଣାରେ ଆଠମଲ୍ଲିକ ପୁଲିସ ଜଣେ ଅପରାଧୀକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ୩ଜଣ ଖସିଯାଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ପାରାଦୀପରୁ ଗତ ୧୪ ତାରିଖରୁ ତେଲ ଭର୍ତ୍ତି କରି ୧୪ ଚକିଆ ଟ୍ୟାଙ୍କରଟି କ‌ୋଲକାତା ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ନିକଟ ଶ୍ରୀରାମପୁର ଟୋଲଗେଟ୍ ନିକଟରେ ପ୍ରବଳ ଜାମ ଯୋଗୁ ଡ୍ରାଇଭର ବଳରାମ ବାରିକ(୩୧) ରାସ୍ତା ପାର୍ଶ୍ବରେ ଗାଡ଼ି ରଖି ଶୋଇଯାଇଥିଲା। ଟୋଲ ଗେଟରେ ଘୋର ଅବ୍ୟବସ୍ଥା ଯୋଗୁଁ ପ୍ରବଳ ଗାଡ଼ି ଜାମ ସୁଯୋଗରେ ଡକାୟତମାନେ ଶୋଇଥିବା ଡ୍ରାଇଭର ବଳରାମର ହାତ ଗୋଡ଼ ବାନ୍ଧି ପାଟିରେ ପଟି ଦେଇ ନିକଟ ନୟନଜୋରି ପାଣିରେ ଫିଙ୍ଗି ଦେଇଥିଲେ। ତେଲ ଟ୍ୟାଙ୍କରକୁ ହରଣଚାଲ କରି ନେଇ ଅନୁଗୁଳ ଅଭିମୁଖେ ଚାଲି ଯାଇଥିଲେ।

ଟ୍ୟାଙ୍କରଟି କୋଲକାତା ଅଭିମୁଖେ ନଯାଇ ଅନୁଗୁଳ ଅଭିମୁଖେ ଯାଉଥିବାର ଟ୍ରାକିଂରେ ଜାଣିବା ପରେ ଡ୍ରାଇଭର ବଳରାମକୁ ଗାଡ଼ି ଚାଳକ ସୁଧାକର ପଲେଇ ଫୋନ କରିଥିଲେ। ମାତ୍ର ତାଙ୍କ ଫୋନ ବନ୍ଦଥିଲା। ଫଳରେ ମାଲିକ ଶ୍ରୀ ପଲେଇ ଚଣ୍ଡିଖୋଲ ଥାନା ଓ ଅନୁଗୁଳ ଥାନାକୁ ଜଣାଇଥିଲେ। ଅନୁଗୁଳ ଏସ୍‌ପିଙ୍କ ନିର୍ଦ୍ଦେଶରେ ଆଠମଲ୍ଲିକ ପୁଲିସ ଟ୍ରାକିଂ କରି ଟ୍ୟାଙ୍କରକୁ ଆଠମଲ୍ଲିକର ମାଧପୁର ରାସ୍ତାର କୁରୁମଟାପ ଛକ ନିକଟରେ ଜବତ କରିଥିଲା। ଏହି ସୁଯୋଗରେ ୩ ଜଣ ଅପରାଧୀ ଖସିଯାଇଥିବା ବେଳେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଉଥିବା ରାକେଶ ସିଂହ (ବୌଦ୍ଧ)କୁ କାବୁ କରିଥିଲା। ପରେ ଧର୍ମଶାଳା ଥାନାରେ ଗାଡ଼ି ମାଲିକ ଶ୍ରୀ ପଲେଇ ୧୫ତାରିଖରେ ଜଣାଇବା ସହିତ ମୃତ ବଳରାମଙ୍କ ଘର ଜଗତପୁର(କଟକ) ଖବରକୁ ଜଣାଇଥିଲେ। ଖବରପାଇ ଆଜି ସକାଳେ ମୃତ ଗାଡ଼ି ଚାଳକ ବଳରାମର ପିତା ଜୟରାମ ବାରିକ ଘଟଣାସ୍ଥଳକୁ ଆସି ଶବକୁ ଚିହ୍ନଟ କରିଥିଲେ । ଏନେଇ ଧର୍ମଶାଳା ଥାନା ପକ୍ଷରୁ ଘଟଣାର ତଦନ୍ତଜାରି ରହିଥିବା ନେଇ ଥାନା ଅଧିକାରୀ ସରୋଜ କୁମାର ସାହୁ କହିଛନ୍ତି ।

ସମ୍ବନ୍ଧିତ ଖବର