ରାଇସ୍‌ମିଲ୍‌ରୁ ଟ୍ରକ୍‌ ଚୋରି ଅଭିଯୋଗ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାର ପୁରୁଣାକଟକସ୍ଥିତ ରାଣୀସତୀ ରାଇସ୍‌ ମିଲ ପାର୍କିଂ ପରିସରରେ ଥିବା ଏକ ଟ୍ରକ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଏ ସମ୍ପର୍କରେ ମିଲର ମ୍ୟାନେଜର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଏକ ଟ୍ରକ୍‌ ସନ୍ଦେହଜନକ ଭାବେ ଛିଡା ହୋଇଥିବା ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାହା ଚୋରି ହୋଇଥିବା ଟ୍ରକ୍‌ ବୋଲି ଚିହ୍ନଟ କରିଥିଲା। ଟ୍ରକକୁ ଜବତ କରିବା ସହ ଅଭିଯୁକ୍ତ ରାକେଶ ମହାରଥା (୩୨)କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲା।

ପୁଲିସ ସୂଚନା ଅନୁଯାୟୀ ରାକେଶର ଘର ପୁରୁଣାକଟକ ରଥ ସାହିରେ। ପେସାରେ ସେ ଜଣେ ଡ୍ରାଇଭର। ଶୁକ୍ରବାର ବିଳମ୍ବିତ ରାତିରେ ରାଇସ ମିଲ୍‌ ପରିସରରେ ସମସ୍ତେ ଶୋଇପଡିଥିବା ସୁଯୋଗ ନେଇ ସେ ଟ୍ରକଟିକୁ ନେଇ ଫେରାର ହେବାରେ ସକ୍ଷମ ହୋଇଥିଲା। ସେ ଟ୍ରକରେ ଲୋଡ୍‌ ହୋଇଥିବା କୁଣ୍ଡା ବିକ୍ରି କରିବା ଲକ୍ଷ୍ୟରେ ଏହା କରିଥିବା କହିଥିଲା। ଏ ନେଇ ପୁରୁଣା କଟକ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ତୁଳାରାମ ମହନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର