ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିସନ ମହାଠକେଇ ମାମଲା: ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

ଭୁବନେଶ୍ବର : ସୋନପୁର ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିସନ(ଏନଏଚଏମ) ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ପ୍ରଥମ କାର୍ଯ୍ୟାନୁଷ୍ଠାନ। ଇଓଡବ୍ଲୁର ତଦନ୍ତକାରୀ ଟିମ୍ ଆଜି ରାଉରକେଲାର ସମୀର ପତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି। ଏନଏଚଏମ ବ୍ୟାଙ୍କ ଆକାଉଣ୍ଟରୁ ହଡ଼ପ ହୋଇଥିବା ଅର୍ଥରୁ ସମୀରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯାଇଥିବା ଇଓଡବ୍ଲୁ ଜାଣିବାକୁ ପାଇଛି। ସମୀରଙ୍କର ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯାଇଥିବା ସୂଚନା ମିଳିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବାରୁ ଇଓଡବ୍ଲୁ ସମୀରଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛି। ଚେକ୍ ଜରିଆରେ ଏ ସବୁ କାରବାର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏନଏଚଏମ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କାରୁ କମ୍ ଆର୍ଥିକ କାରବାର ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯୁଗ୍ମ ଦସ୍ତଖତ ଆବଶ୍ୟକ। କିନ୍ତୁ ଏହି ୫ କୋଟି ଟଙ୍କା ଠକେଇରେ ଉଭୟଙ୍କର ଦସ୍ତଖତ ରହିଥିଲା। ଦୁଇ ଜଣଙ୍କ ଦସ୍ତଖତରେ ୧୦ ଲକ୍ଷରୁ ଅଧିକ ଟଙ୍କାର କାରବାର ପାଇଁ ଅନୁମତି ନ ଥିଲେ ମଧ୍ୟ ୫ କୋଟି ଟଙ୍କା କିପରି କାରବାର ହେଲା ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର