ଖୋର୍ଦ୍ଧା: ଦୁଇ ଦିନ ପୂର୍ବେ ମଳିପଡ଼ା କାନପୁରରେ ଏକ ଏଟିଏମ୍‌ ଲୁଟ ମାମଲାରେ ସୋମବାର ଖୋର୍ଦ୍ଧା ପୁଲିସ ଜଣକୁ ଗିରଫ କରିଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ କୌଣସି ଟେର ପାଇପାରିନାହିଁ।

Advertisment

୨୮ ତାରିଖ ରାତି ପ୍ରାୟ ୩ଟା ବେଳେ କାନପୁରର ପ୍ରକାଶ ଚନ୍ଦ୍ର ବରାଳଙ୍କ ଘର ପରିସରରେ ଥିବା ଏକ ଏଟିଏମ୍‌କୁ କେତେକ ଦୁର୍ବୃତ୍ତ ଲୁଟ କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ଲୁଟ ଉଦ୍ୟମ ସମ୍ପର୍କରେ ପରଦିନ ସକାଳ ୧୦ଟା  ଯାଏଁ କେହି ଜାଣିପାରିନଥିଲେ। ସାଢ଼େ ୧୦ଟାରେ ପ୍ରକାଶ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଗଲାବେଳେ ସିସି କ୍ୟାମେରା, ଏଟିଏମ୍‌ର ତାଲା ଓ ଏଟିଏମ୍‌ କବାଟ ଭାଙ୍ଗି ଥିବା ଦେଖିବାକୁ ପାଇ ଏଟିଏମ୍‌କୁ ପରିଚାଳନା କରୁଥିବା ଇଣ୍ଡିଆ ପେମେଣ୍ଟ ଲିଃର ସ୍ଥାନୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଏନେଇ କମ୍ପାନୀର ଦେବାଶିଷ ସାହୁ ୨୮ ତାରିଖ ଅପରାହ୍‌ଣ ୩ଟା ବେଳେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୩୯୭/୨୦୨୩ରେ ଏକ ମାମଲା ରୁଜୁ କରିଥିଲା। ସିସିଟିଭିର ମେମୋରିରୁ ଦୁର୍ବୃତ୍ତଙ୍କ ଭିଡ଼ିଓ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହି ଲୁଟ ଉଦ୍ୟମରେ ଜଙ୍କିଆ ଚମ୍ପାଝରର ବାବୁଲି ଦାସ (୩୫) ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଆଜି ଏସ୍‌ଆଇ ଭାଗ୍ୟଶ୍ରୀ ବେହେରା, ଏଏସ୍‌ଆଇ ଭଗବାନ ନାୟକ, ଏଏସ୍‌ଆଇ ପ୍ରମୋଦ କୁମାର ଦାଳଇଙ୍କୁ ନେଇ ଏକ ପୁଲିସର ଏକ ଟିମ୍‌ ବାବୁଲିକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ତେବେ ଏହି ଲୁଟ ଉଦ୍ୟମରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିଲେ ମଧ୍ୟ ପୁଲିସ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇପାରିନାହିଁ। ବାବୁଲିକୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି ଏସ୍‌ଡିପିଓ ଦିଲୀପ କୁମାର ଦାସ କହିଛନ୍ତି।