ରାଉରକେଲା: କୋଟି କୋଟି ଟଙ୍କା ଜିଏସ୍ଟି ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍(ଆଇଟିସି) ଠକିବା ରାଉରକେଲାର ଜଣେ ବ୍ୟବସାୟୀଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ପ୍ରାୟ ଏକବର୍ଷର ଲୁଚକାଳି ପରେ ଆଜି ଅଭିଯୁକ୍ତଙ୍କୁ ଡିରେକ୍ଟର ଜେନେରାଲ ଜିଏସ୍ଟି ଇଣ୍ଟେଲିଜେନ୍ସ(ଡିଜିଜିଆଇ) ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାସନ୍ତୀକଲୋନିର ସନ୍ତୋଷ କୁମାର ଗୁପ୍ତା(୪୫)। ଅଭିଯୁକ୍ତଙ୍କୁ ଆଜି ଗିରଫ କରି ରାଉରକେଲା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହୋଇଥିଲା। ଅଧିକ ପଚରାଉଚରାପାଇଁ ଜିଏସ୍ଟି କର୍ତୃପକ୍ଷ ୧୪ ଦିନର ରିମାଣ୍ଡରେ ନେଇଛନ୍ତି। ଏହି ଠକେଇରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତ ସନ୍ତୋଷ ଜାଲ୍ କାଗଜପତ୍ର ମାଧ୍ୟମରେ ନକଲି ବ୍ୟାଙ୍କ ଆକାଉଣ୍ଟ୍ ଖୋଲିଥିଲେ। ଉକ୍ତ ଆକାଉଣ୍ଟ୍ ବଳରେ ସ୍ବଳ୍ପ ସମୟ ଭିତରେ ୨୬୨ କୋଟିର ବେପାର କରିଥିଲେ। ସାମଗ୍ରୀ କିଣିନଥିଲେ କିମ୍ବା ବିକ୍ରି ବି କରିନଥିଲେ, କିନ୍ତୁ ଜାଲ୍ ଇନ୍ଭଏସ୍ ମାଧ୍ୟମରେ ଏହି ଠକେଇ କରିଥିଲେ। ସଂପୂର୍ଣ୍ଣ ଜାଲିଆତି ମାଧ୍ୟମରେ ୨୬୨ କୋଟିର ବ୍ୟବସାୟ ଦର୍ଶାଇ ୪୪ କୋଟି ୬୬ ଲକ୍ଷ ଆଇଟିସି ଅର୍ଥ ହଡ଼ପ କରିନେଇଥିଲେ। ଏହି ମାମଲା କେନ୍ଦ୍ରୀୟ ଜିଏସ୍ଟି ଗୁଇନ୍ଦା ବିଭାଗ ନଜରକୁ ଆସିବାପରେ ଛାନ୍ଭିନ୍ ଆରମ୍ଭ ହୋଇଥିଲା।
Jagranଗତ କିଛି ଦିନ ହେଲା ଅଭିଯୁକ୍ତ ସନ୍ତୋଷଙ୍କୁ ପଚରାଉଚରା ଜାରି ରହିଥିଲା। ସନ୍ତୋଷଙ୍କ ଲିଙ୍କ୍ରେ ଆଉ କିଛି ଠକ ସାମିଲଥିବା ଜଣାପଡ଼ିଛି। ସନ୍ତୋଷ ଗ୍ୟାଙ୍ଗ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଦେଇଛି। ପୂର୍ବରୁ ଗୁପଚୁପ ବିକାଳୀ, ଅଟୋ ଡ୍ରାଇଭର, ଦିନମଜୁରିଆ, ଜଳଖିଆ ଦୋକାନୀ, କଲେଜ ପଢୁଆ ଛାତ୍ରଛାତ୍ରୀ, ଗୃହିଣୀଙ୍କ ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲି ଆଇଟିସି ଅର୍ଥ ହଡ଼ପ କରାଯାଇଛି। ‘ଜାଲ କାଗଜପତ୍ରରେ ଅଭିଯୁକ୍ତ ୨୬୧ କୋଟିର ବେପାର ଦର୍ଶାଇ ୪୪.୬୬ କୋଟି ଟଙ୍କା ଜିଏସ୍ଟି ଆଇଟିସି ଠକିଛନ୍ତି। ଏହି ମାମଲାରେ ଆଉ କିଏ କିଏ ସାମିଲ ହୋଇଛନ୍ତି, ତା’ର ତଦନ୍ତ ଜାରି ରହିଛି। ଅଭିଯୁକ୍ତକୁ ୧୪ ଦିନିଆ ରିମାଣ୍ଡ୍ରେ ନିଆଯାଇଥିବା କେନ୍ଦ୍ରୀୟ ଜିଏସ୍ଟି ଡେପୁଟି ଡିରେକ୍ଟର କୁନାଲ କୁମାର ସୂଚନା ଦେଇଛନ୍ତି।
ରାଉରକେଲାରୁ ଗିରଫ ହେଲେଣି ୯
୨୦୧୭ ଜୁଲାଇ ମାସରୁ ଜିଏସ୍ଟି ଲାଗୁ ହୋଇଥିଲା। ଜିଏସ୍ଟି ଲାଗୁ ହେବାର ମାତ୍ର ୩/୪ ମାସ ପରେ ଇସ୍ପାତସହରରେ ଜିଏସ୍ଟି ଆଇଟିସି ଅର୍ଥ ଲୁଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ପୂର୍ବରୁ ଟ୍ୟାକ୍ସ ଠକିବାରେ ସିଦ୍ଧହସ୍ତ କିଛି ଅସାଧୁ ବ୍ୟବସାୟୀ ଏଥିରେ ସାମିଲ ହୋଇଯାଇଥିଲେ। ଏଭଳି ଜିଏସ୍ଟି ଠକି ଏବେସୁଦ୍ଧା ୯ ଜଣ ଅଭିଯୁକ୍ତ ହୋଇସାରିଛନ୍ତି। ଏଭଳି ଚଞ୍ଚକତା କରି ୨୦୧୮ ମସିହା ଅକ୍ଟୋବର ୧୨ ତାରିଖରେ ରାଉରକେଲାରୁ ପ୍ରଥମଥର ପାଇଁ ୨ ଜଣ ଗିରଫ ହୋଇଥିଲେ। ପ୍ରାୟ ୨୦ କୋଟି ଠକିଥିବା ଅଭିଯୋଗରେ ନାରାୟଣ ଖୈତାନ ଓ ସଞ୍ଜୀବ ସିଂହ ଗିରଫ ହୋଇଥିଲେ। ଏହାପରେ କମଳ ପସାରୀ, ମାନସ ବରାଳ, ରାଜେଶ ମିଶ୍ର, ଅମିତ ବେରିୱାଲ, ସୁବାଷ ସ୍ବାଇଁ, କାଶ୍ମୀରା ଅଗ୍ରୱାଲ ଗିରଫ ହୋଇଥିଲେ। ଏହାସହ ପ୍ରାୟ ୬/୭ ଜଣ ଠକ ଫେରାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/2d743cb0-ea18-4650-8636-37c5b0ed66d3.jpg)