ନକଲି ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ବିଭିନ୍ନ ସମୟରେ ଖାତା ମୂଲ୍ୟାୟନ ଓ ପରୀକ୍ଷା ବିଭ୍ରାଟକୁ ନେଇ ଚର୍ଚ୍ଚାରେ ରହି ଆସୁଛି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ । ଏନେଇ ଏକ ବଡ ଧରଣର କେଳେଙ୍କାରୀ ଆସିଛି ସାମ୍ନାକୁ । ଏହି କେଳେଙ୍କାରୀଟି ହେଉଛି ନକଲି ସାର୍ଟିଫିକେଟ ବିକ୍ରି ଭଳି ଏକ ସାଙ୍ଘାତିକ ଘଟଣା । ତେବେ ନକଲି ସାର୍ଟିଫିକେଟ ବିକ୍ରି କରିବା ଅଭିଯୋଗରେ ବୋର୍ଡର ଜଣେ କର୍ମଚାରୀ ଗିରଫ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିବା ଭ୍ରମରବର ନାୟକ ନାଁରେ ନକଲି ସାର୍ଟିଫିକେଟ ବିକ୍ରି ଅଭିଯୋଗ ଆସିବା ପରେ ଏହି ମାମଲାର ତଦନ୍ତ କରି ମଙ୍ଗଳାବାଗ ପୁଲିସ ଭ୍ରମରବରଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ଅନୁଯାୟୀ, ଭ୍ରମରବର ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଦେଇ ପାସ କରିଥିବା କେନ୍ଦୁଝରର ଦେବାଶିଷ ନାମ ଜଣକୁ ୪୫ ହଜାର ଟଙ୍କା ବଦଳରେ ସାର୍ଟିଫିକେଟ ପ୍ରସ୍ତୁତ କରି ବିକ୍ରି କରିଥିଲେ । ତେବେ ସାର୍ଟିଫିକେଟଟି ନକଲି ବୋଲି ଜାଣିବା ପରେ ଦେବାଶିଷ ଭ୍ରମରବରଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କୁ ଧରାଛୁଆଁ ଦେଇ ନଥିଲେ। ଫଳରେ ଦେବାଶିଷ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି ଲେଖିଥିଲେ ।

ଅନ୍ୟପଟେ ମଙ୍ଗଳାବାଗ ପୁଲିସ ଏକ ମାମଲା ରୁଜୁ କରି ଭ୍ରମରବରଙ୍କୁ ଗିରଫ କରିବା ସହ ଭ୍ରମରବରକୁ ସାଥିରେ ଧରି ବୋର୍ଡ କାର୍ଯ୍ୟାଳୟରେ ଛାନଭିନ ମଧ୍ୟ କରିଥିଲା । ତେବେ ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରି ଥିବା ସନ୍ଦେହ କରାଯାଉ ଥିବା ବେଳେ ଏହା ପଛରେ ଏକ ବଡ ରାକେଟ ଚାଲିଥିବା ମଧ୍ୟ ଆଲୋଚନା ହେଉଛି । ସେପଟେ ଏହି ଅଭିଯୋଗକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ଭ୍ରମରବର ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି ବୋର୍ଡ ସଭାପତି । କଟକ ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନା କହିଛନ୍ତି, “କେନ୍ଦୁଝରର ଦେବାଶିଷ ନାମକ ଯୁବକର ସାର୍ଟିଫିକେଟ ଭେରିଫିକେଶନ ନିମନ୍ତେ ଆସିଥିଲା । ଯାଂଚ ବେଳେ ସାର୍ଟିଫିକେଟ ନକଲି ବୋଲି ଜଣାପଡିବା ପରେ ବୋର୍ଡ ସେକ୍ରେଟାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ସେନେଇ ଘଟଣାର ତଦନ୍ତ କରାଯାଉଛି । ଆଜି ଅଭିଯୁକ୍ତର ଅଫିସ ରୁମ ସର୍ଚ୍ଚ କରାଯାଇଛି ।

ସମ୍ବନ୍ଧିତ ଖବର