ଭୁବନେଶ୍ବର: ମାସିକ ୧୧ ପ୍ରତିଶତରୁ ୧୮ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଓଡ଼ିଶା ସ‌ମେତ ୧୦ ରାଜ୍ୟର ଲୋକଙ୍କଠାରୁ ୧୦୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ କଟକଜିଲ୍ଲା ୪୨ ମୌଜା ଅଞ୍ଚଳର ପ୍ରତାପ କୁମାର ରାଉତ(୪୨)କୁ ଗିରଫ କରିଛି। ନିବେଶକାରୀ ବିଜୟ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ଅନୁସାରେ ସେ ହେଡ୍‌ଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପିରେ ୯୨ଲକ୍ଷ୬୦ ହଜାର ଟଙ୍କା ନିବେଶ କରିଥିଲେ। ଏହି କମ୍ପାନିର ଓଡ଼ିଶା ମୁଖ୍ୟ ପ୍ରତାପ କୁମାର ରାଉତ ତାଙ୍କୁ ୧୧ରୁ ୧୮ପ୍ରତିଶତ ମାସିକ ରିଟର୍ଣ୍ଣ ପାଇବାର ପ୍ରଲୋଭନ ଦେଖାଇ ପୁଞ୍ଜିନିବେଶ ପାଇଁ କହିଥିଲେ। ପ୍ରତାପ କଥା‌‌ରେ ପ୍ରଲୋଭିତ ହୋଇ ସେ ଦେଇଥିବା ଆକାଉଣ୍ଟ ନମ୍ବର ମାଧ୍ୟମରେ ଟଙ୍କା ନିବେଶ କରିଥିଲେ। କିନ୍ତୁ, କିଛି ଦିନ ପରେ କମ୍ପାନି ବନ୍ଦ ହୋଇଯାଇଥିଲା। ତାଙ୍କର ଜମାରାଶି ମଧ୍ୟ ଉଠାଇ ପାରି ନଥି‌ଲେ। ଏନେଇ ସେ ପ୍ରତାପ ସହ ଯୋଗାଯୋଗ କରିବାରୁ ସେ କେବଳ ମିଥ୍ୟା ଆଶ୍ୱାସନା ଦେଇ ଚାଲିଥିଲା।

Advertisment

ତଦନ୍ତରୁ ଜଣାଯାଇଛି ଯେ ପ୍ରତାପ ରାଉତ ଓଡ଼ିଶାରୁ କମ୍ପାନିରେ ଟଙ୍କା ନିବେଶ ପାଇଁ କାମ କରୁଥିଲା। ସେ ଅନେକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଥିଲା। ଏହା ସହିତ, ସେ ନଗଦ ଓ ହାୱାଲା ଏଜେଣ୍ଟ ମାଧ୍ୟମରେ ମଧ୍ୟ ବହୁ ପରିମାଣରେ ଟଙ୍କା ସଂଗ୍ରହ କରିଥିଲା। କୋଟି କୋଟି ଟଙ୍କା ଜମା ହେବା ପରେ, କମ୍ପାନି ହଠାତ୍ ବନ୍ଦ ହୋଇଯାଇଥିଲା। ବନ୍ଦ ହେବା ପରେ ପ୍ରତାପ ରାଉତ ନିବେଶକାରୀମାନଙ୍କୁ କମ୍ପାନିର ମୁଖ୍ୟ ସହଯୋଗୀ ଦିନେଶ କୁମାର ଜୈନଙ୍କ ସହ ଯୋଗାଯୋଗ କରାଇ ଜମା ରାଶି ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଟଙ୍କା ଫେରି ନପାଇ ବିଜୟ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। 
ତଦନ୍ତରୁ ଜଣାପଡ଼ିଛି ଯେ ଏହି କମ୍ପାନି ୨୦୨୩ ମସିହାରେ ଗୋଆରେ ଆର୍‌ଓସିରେ ପଞ୍ଜୀକୃତ ହୋଇଥିଲା। ତେବେ, ଏହା ୧୦ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲା। ଯେଉଁଠାରେ ୩ ଲକ୍ଷରୁ ଅଧିକ ନିବେଶକାରୀ ଥିଲେ। ଠକେଇର ପରିମାଣ ୧ହଜାର କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଇଛି। ଓଡ଼ିଶାର ୧୨ହଜାରରୁ ଅଧିକ ନିବେଶକାରୀଙ୍କର ପ୍ରାୟ ୧୩୯ କୋଟି ଟଙ୍କା ଏଥିରେ ରହିଛି।

ହେଡ୍‌ଜେକ୍ସ ଦୁଇ ବର୍ଷ ମଧ୍ୟରେ (୨୦୨୩-୨୦୨୪) କୌଶଲ୍ୟା ଫାଉଣ୍ଡେସନ୍‌, ଲାଭ୍ୟା ଵାର୍ଲ୍ଡ, ଫ୍ରିକ୍ସ ମାର୍କେଟ୍‌ ‌ଲାଭ୍ୟା ଇଣ୍ଟରନ୍ୟାସନାଲ୍‌ ଆଦି ଅନେକ ସହଯୋଗୀ ସଂସ୍ଥା ପ୍ରତିଷ୍ଠା କରି ନିବେଶକାରୀଙ୍କୁ ଠକିଥିଲା। କମ୍ପାନିର ଅଂଶୀଦାର ସହ ଅନ୍ୟ ଅଧିକା‌ରୀମାନେ ତୃତୀୟ ପକ୍ଷ ଆକାଉଣ୍ଟ ବ୍ୟବହାର କରି ଆଇନ ପ୍ରୟୋଗକାରୀ ସଂସ୍ଥାମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ହାୱଲା ଏଜେଣ୍ଟମାନଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ନଗଦ ସଂଗ୍ରହ କରାଯାଇଥିଲା । ଏହି ନଗଦ ପ୍ରତାପ କୁମାର ରାଉତଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏବେ ପ୍ରତାପକୁ ଗିରଫ କରାଯାଇଛି।