ତାଳଜଙ୍ଗ ବୋମାମାଡ଼ ଘଟଣାରେ ଜଣେ ଗିରଫ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ତାଳଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗତ ସେପ୍ଟେମ୍ବର ୩୦ ତାରିଖରେ ଘଟିଥିବା ବୋମାମାଡ଼ ଘଟଣାରେ ଜେନାପୁର ପୁଲିସ ରବିବାର ଦିନ ତାଳଜଙ୍ଗ ଗ୍ରାମର ଚଗଲା ଓରଫ ପୀତାମ୍ବର ଓଝା(୪୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୩୦ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ତାଳଜଙ୍ଗ ପଞ୍ଚାୟତର ସରପଞ୍ଚ ବିପିନ ସେଠୀଙ୍କ ସମେତ ଗ୍ରାମର ଲକ୍ଷ୍ମୀଧର ରାଉତ, ଧନେଶ୍ବର ରାଉତ, ଆନନ୍ଦ ରାଉତ, ଶ୍ରୀକାନ୍ତ ରାଉତ ଓ ଉଲ୍ଲାସ ମଲ୍ଲଙ୍କ ଉପରେ ବୋମା ମାଡ଼ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପାନପତ୍ର ଛକରେ ଏକ ବାଇକ୍‌ରେ ଆସି ଦୁଇଜଣ ଯୁବକ ସେମାନଙ୍କ ଉପରକୁ ବୋମା ଫିଙ୍ଗି ଦ୍ରୁତ ଗତିରେ ପଳାଇ ଯାଇଥିଲେ। ଏହି ବୋମା ମାଡ଼ରେ ସରପଞ୍ଚ ଶ୍ରୀ ସେଠୀଙ୍କ ସମେତ ଲକ୍ଷ୍ମୀଧର ଓ ଧନେଶ୍ବର ଆହତ ହୋଇଥିଲେ। ହେଲେ ସରପଞ୍ଚ କିମ୍ବା ଅନ୍ୟ ଆହତମାନେ ଥାନାରେ ଅଭିଯୋଗ କରିନଥିଲେ।

ଜେନାପୁର ପୁଲିସ ଘଟଣା ସଂପର୍କରେ ଜାଣିବା ପରେ ନିଜଆଡୁ ୨୭୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୁକ୍ତମାନେ ଫେରାର ହୋଇଯିବାରୁ ପୁଲିସ ସେମାନଙ୍କୁ ଗିରଫ କରିପାରିନଥିଲା। ରବିବାର ଦିନ ଏହି ଘଟଣାରେ ସଂପୃକ୍ତ ତାଳଜଙ୍ଗ ଗ୍ରାମର ଚଗଲାକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଅନ୍ୟଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି।

ସମ୍ବନ୍ଧିତ ଖବର