ସମ୍ବଲପୁରରେ ଆଇନ୍‌ ଶୃଙ୍ଖଳା ସ୍ଥିତି ବିଗୁଡିଛି : ବନ୍ଧୁକ ତିଆରି କରୁଥିବା ବେଳେ ଜଣେ ଗିରଫ

କେବିନ୍‌ରେ ତିଆରି ହେଉଥିଲା ବନ୍ଧୁକ, ଅର୍ଦ୍ଧ ନିର୍ମିତ ବନ୍ଧୁକ, ଡ୍ରିଲ୍‌ ମେସିନ୍‌ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ

ସମ୍ବଲପୁର : ସମ୍ବଲପୁରରେ ଆଇନ ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଲୁଟ୍‌, ଛିନ୍‌ତାଇ ସହରରେ ସାଧାରଣ ଘଟଣା ପାଲଟି ସାରିଥିବା ବେଳେ ଏବେ ବନ୍ଧୁକ ତିଆରି କରୁଥିବା ବେଳେ ଜଣକୁ ପୁଲିସ ଗିରଫ କରିବା ଘଟଣା ସାମ୍ନାକୁ ଆସିଛି।

ରାସ୍ତା କଡ଼ କେବିନ୍‌ ଭିତରେ ଚାଲିଥିଲା ବନ୍ଧୁକ ତିଆରି। ତାହା ପୁଣି କେଉଁ ଜଙ୍ଗଲ୍‌ ଅଞ୍ଚଳରେ ନୁହେଁ, ସମ୍ବଲପୁର ସହର ଧନୁପାଲି ଥାନା ଅଧୀନ ନୂତନ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ। ସବୁଠାରୁ ବଡ଼ କଥା ହେଲା ୫୫ ନଂ ଜାତୀୟ ରାଜପଥ କଡ଼ରେ କେବିନ୍‌ ପକାଇ ଜଣେ ବ୍ୟକ୍ତି ବନ୍ଧୁକ ତିଆରି କରୁଥିବା ବେଳେ ତାର ଖୋଜ୍‌ ଖବର ପୁଲିସ ପାଖରେ ନଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଧନୁପାଲି ପୁଲିସର ପାଟ୍ରୋଲିଂ ଟିମ୍‌ ଶନିବାର ସକାଳେ ଉକ୍ତ ସ୍ଥାନରେ ଚଢ଼ଉକରି ଜଣକୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲା ଧନୁପାଲି ଥାନା ନକ୍ସାପାଲିର ଅନୁଜ ସିଂହ(୪୧)।

ମିଳିଥିବା ସୂଚନା ଅନୁଯାୟୀ, ନକ୍ସାପାଲି ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଏକ କେବିନ ଭିତରେ ବନ୍ଧୁକ ତିଆରି ଚାଲିଥିବା ନେଇ ଶନିବାର ସକାଳ ୯ଟା ୧୫ ସମୟରେ ବିଶ୍ବସ୍ତ ସୂତ୍ରରୁ ଧନୁପାଲି ଥାନା ପାଟ୍ରୋଲିଂ ଟିମ୍‌କୁ ସୂଚନା ମିଳିଲା। ଏଏସ୍‌ଆଇ ଏସ୍‌ ପ୍ରଧାନଙ୍କ ସହ ପାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚି କେବିନ୍‌ ଭିତରେ ବନ୍ଧୁକ ତିଆରି କରୁଥିବା ବେଳେ ଅନୁଜକୁ ଧରିବାରେ ସଫଳ ହୋଇଥିଲା। ତା ପାଖରୁ ଅର୍ଦ୍ଧ ନିର୍ମିତ ଗୋଟିଏ ବନ୍ଧୁକ ସାଙ୍ଗକୁ ଏକ ଡ୍ରିଲ୍‌ ମେସିନ୍‌ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲା। ତେବେ ଆଘରୁ କେତେ ବନ୍ଧୁକ ତିଆରି କରି ବିକ୍ରି କରିଛି ସେ ନେଇ ଅଭିଯୁକ୍ତ ମୁହଁ ଖୋଲି ନଥିବା ବେଳେ କେଉଁ କେଉଁ ଅପରାଧୀଙ୍କ ସହ ତା’ର ଲିଙ୍କ୍‌ ରହିଛି ତାକୁ ନେଇ ଧନୁପାଲି ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ଜାମସେଦ୍‌ପୁର ଲିଙ୍କ!
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତର ଜାମସେଦପୁର ଟାଟା ଅଞ୍ଚଳର ଲିଙ୍କ ରହିଥିବା ଅନୁମାନ କରାଯାଇଛି। ଅଭିଯୁକ୍ତ ଜଣକ ଅନେକ ସମୟରେ ଜାମସେଦ୍‌ପୁର ଯାଉଥିଲେ ବୋଲି ମଧ୍ୟ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ତଦନ୍ତ ଜାରି ରହିଥିବା କହାଯାଇଛି। ଅନ୍ୟପଟେ ଅଭିଯୁକ୍ତ ୟୁଟ୍ୟୁବ୍‌ରୁ ଶିଖି ବନ୍ଧୁକ ତିଆରି କରୁଥିବା କହୁଥିବା ଶୁଣିବାକୁ ମିଳିଛି। ଅନ୍ୟପଟେ ଶନିବାର ଅଭିଯୁକ୍ତ ଅନୁଜକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର