ଖୋର୍ଦ୍ଧା: ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳର ଲୋକଙ୍କ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ, ଅଧାରୁ ପାଠ ଛାଡ଼ିଥିବା କିଶୋରକିଶୋରୀଙ୍କୁ ନିୟମିତ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଯୋଜନା କରାଯାଉଛି, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ବିଶେଷତଃ ଗ୍ରାମାଂଚଳରେ ଆର୍ଥିକ ବ୍ୟବସ୍ଥାର ମେରୁଦଣ୍ଡ ଭାବେ ପରିଚିତ ବ୍ୟାଙ୍କ ଶାଖା ଆବଶ୍ୟକ ପରିମାଣରେ ନାହିଁ । ଫଳରେ ଗ୍ରାମାଂଚଳରେ ଅନେକ ଗରିବ, ଖଟିଖିଆ, ଦିନମଜୁରିଆ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଘରୋଇ ଫାଇନାନ୍ସ କମ୍ପାନିଗୁଡ଼ିକର ଚକ୍ରାନ୍ତର ଶିକାର ହେଉଛନ୍ତି।

Advertisment

ଦେଶରେ ପ୍ରତି ୬୬୬୬ ଜଣଙ୍କ ପାଇଁ ଗୋଟିଏ ବାଣିଜ୍ୟିକ (କମର୍ସିଆଲ୍) ବ୍ୟାଙ୍କ ଶାଖା ରହିଥିବା ବେଳେ ରାଜ୍ୟରେ ଏହା ୭୬୯୨ଜଣଙ୍କ ପାଇଁ ଗୋଟିଏ ବ୍ୟାଙ୍କ ଶାଖା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ପ୍ରତି ୫୫୬୯ ଜଣଙ୍କ ପାଇଁ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ ଶାଖା ରହିଛି । ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲାର ସ୍ଥିତି କେନ୍ଦ୍ର ଓ ରାଜ୍ୟ ହାର ଠାରୁ ଉତ୍ତମ ଜଣାଯାଉଥିଲେ ମଧ୍ୟ ଗ୍ରାମାଂଚଳରେ ସ୍ଥିତି ଭିନ୍ନ ରହିଛି । ଗ୍ରାମାଂଚଳରେ ପ୍ରତି ୧୨ହଜାର ୫୦୦ ଜନସଂଖ୍ୟାରେ ଗୋଟିଏ ବ୍ୟାଙ୍କ ଶାଖା ରହିଛି । ଚଳିତ ବର୍ଷ ସାଂସଦଙ୍କ ପ୍ରଥମ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକରେ ଜିଲ୍ଲାରେ ୪୫ଟି ପଂଚାୟତରେ କୌଣସି ବ୍ୟାଙ୍କ ଶାଖା ନଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହା ମଧ୍ୟରେ ପ୍ରାୟ ୫-୬ ମାସ ଅତୀତ ହୋଇଗଲାଣି କିନ୍ତୁ ଜିଲ୍ଲାରେ ନୂତନ ବ୍ୟାଙ୍କ ଶାଖା ଖୋଲିବାରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଅପରପକ୍ଷରେ, ନାବାର୍ଡ ପକ୍ଷରୁ ପ୍ରକାଶିତ ତଥ୍ୟାନୁସାରେ, ଜିଲ୍ଲାରେ ବାଣିଜ୍ୟିକ ବ୍ୟାଙ୍କ ବ୍ୟତୀତ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟକରୁଛି । କିନ୍ତୁ ୨୦୨୨-୨୩ ତଥ୍ୟାନୁସାରେ, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ୧୮ଟି ଶାଖା ମଧ୍ୟରୁ ଗ୍ରାମାଂଚଳରେ କେବଳ ୪ଟି ଶାଖା ରହିଥିବା ବେଳେ ବଳକା ସହର ଓ ସହର ଉପକଣ୍ଠରେ ରହିଛି । ୫୪ଟି ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟରୁ ଗ୍ରାମାଂଚଳରେ ୩୦ଟି ରହିଥିବା ବେଳେ ବଳକା ୨୪ଟି ସହରାଂଚଳରେ କାର୍ଯ୍ୟ କରୁଛି ।
ଯଦି ଜମାକାରୀଙ୍କୁ ଋଣ ଆଦି ବ୍ୟବସ୍ଥାର ତଥ୍ୟକୁ ଅନୁଶୀଳନ କରାଯାଏ ତେବେ ଆଂଚଳିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ଗୁଡ଼ିକ ତୁଳନାରେ ବାଣିଜ୍ୟିକ ବ୍ୟାଙ୍କ ଆଗରେ ରହିଛି । ବାଣିଜ୍ୟିକ ବ୍ୟାଙ୍କ ନିଜର ମୋଟ ଋଣର ୭୪.୭୦ ପ୍ରତିଶତ କୃଷି ଓ କୃଷି ସମ୍ପର୍କିତ କ୍ଷେତ୍ରକୁ ଦେଇଥିବା ବେଳେ ଆଂଚଳିକ ବ୍ୟାଙ୍କଗୁଡ଼ିକରେ ଏହି ପରିମାଣ ୩.୯୩ ପ୍ରତିଶତ ଓ ସମବାୟ ବ୍ୟାଙ୍କର ଏହି ସଂଖ୍ୟା ୨୦.୩୦ ପ୍ରତିଶତ ରହିଛି । ଅପରପକ୍ଷରେ, ଅନେକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଆଂଚଳିକ ଗ୍ରାମୀଣ ବ୍ୟାଙ୍କରେ ଋଣ ପ୍ରଦାନ ଆଦିରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଓ ଲାଂଚ କାରବାର କାରଣରୁ ଗରିବ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, କୁଟୀର ଶିଳ୍ପୀ ଆଦି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଏହି ଦୃଷ୍ଟିରୁ ଗ୍ରାମାଂଚଳର ଆର୍ଥିକ ବିକାଶରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଆଦି ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସ୍ଥାପନ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।