‘ଗୋଟିଏ ବାର ଗୋଟିଏ ଭୋଟ’ ନିୟମ ପାଳନ ପ୍ରସଂଗ, ୧୪ରେ ପୂର୍ଣ୍ଣାଙ୍ଗ ଶୁଣାଣି

କଟକ: ‘ଗୋଟିଏ ବାର, ଗୋଟିଏ ଭୋଟ’ ନିୟମ ପାଳନ ପ୍ରସଂଗକୁ ନେଇ ଦାୟର ମାମଲାର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି ସମୟରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ଉପସ୍ଥିତ ଥିଲେ। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ମାର୍ଚ୍ଚ ୧୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ତ୍ରିଲୋଚନ ଦାଶ ସହାୟତା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ‌େଯ ‘ଗୋଟିଏ ବାର୍ ଗୋଟିଏ‌ ଭୋଟ୍’ ନିୟମ ସପକ୍ଷରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା। ପରବର୍ତ୍ତୀ ସମୟରେ ୨୦୧୮, ମେ’୧୨ରେ ଗୋଟିଏ ବାର୍ ଗୋଟିଏ ଭୋଟ୍ ନିୟମ ଲାଗୁ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପ୍ରସ୍ତାବ ଗ୍ରହଣ କରିଥିଲା। ଏ ସଂପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଗୋଟିଏ ବାର୍ ଗୋଟିଏ ଭୋଟ୍ ବ୍ୟବସ୍ଥା ଲାଗୁ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଗୋଟିଏ ବାର୍ ଗୋଟିଏ ଭୋଟ ନିୟମ ଲାଗୁ କରାଯାଇଥିବା ଦୃୃଷ୍ଟିରୁ ୨୦୧୯, ଫେବ୍ରୁଆରି ୨୨ରେ ଆଇନଜୀବୀ ଶିବନାରାୟଣ ବିଶ୍ବାଳଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ସବୁ ବାର୍ ଆସୋସିଏସନ୍‌ର ନିର୍ବାଚନ କରିବା ପାଇଁ ଘୋଷଣା କରାଯାଇଥିଲା। ଦ୍ବିବାର୍ଷିକ ନିର୍ବାଚନ ହେଉଥିବା ବାର୍ ଆସୋସିଏସନ ମଧ୍ୟରୁ ଯେଉଁ ଗୁଡିକର କା‌ର୍ଯ୍ୟକାଳ ୧ ବର୍ଷ ପୂରି ନଥିବ ସେ ଗୁଡିକର ନିର୍ବାଚନ ମାର୍ଚ୍ଚ ୩୦ରେ ନ କରିବା ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥି ସହିତ କିଛି ବାର୍ ଆସୋସିଏସନର ନିର୍ବାଚନ ଗତ ୬ ମାସ ଭିତରେ ହୋଇଥିବା ବେଳେ ସେ ଗୁଡିକୁ ମଧ୍ୟ ମାର୍ଚ୍ଚ ୩୦ ନିର୍ବାଚନରୁ ବାଦ ଦେବା ପାଇଁ ସ୍ଥିର ହୋଇଥିଲା। ଗୋଟିଏ ବାର୍ ଗୋଟିଏ ଭୋଟ୍ ନିୟମର ଏହା ବିରୁଦ୍ଧାଚରଣ କରୁଛି ଦର୍ଶାଇ ହାଇକୋର୍ଟରେ କଟକ ବାର୍ ଆସୋସିଏନର କେତେକ ସଦସ୍ୟ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର