ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଜଣକ ପରେ ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ସାମ୍ନାକୁ ଆସିବାରେ ଲାଗିଛି। ଗତ ଦୁଇ ସପ୍ତାହ ମଧ୍ୟରେ ବ୍ଲକ୍ର ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତ ୨୭ ତାରିଖ ଦିନ ଖଲିଙ୍ଗି ଗ୍ରାମର ଜଣେ ଯୁବକ ଗ୍ରାମକୁ ଫେରୁଥିବା ବେଳେ ଚେନ୍ନାଇ ନିକଟ ରେଳଧାରଣାରୁ ତାଙ୍କ କ୍ଷତାକ୍ତ ଶବ ମିଳିଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଉକ୍ତ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଉଛନ୍ତି, ଖଲିଙ୍ଗି ଗ୍ରାମର ଶରତ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ।
ଜିତୁ ପେଟପାଟଣା ପାଇଁ ଗତ ୬ରୁ ୭ ମାସ ହେବ ସୁରତକୁ ଦାଦନ ଖଟିବାକୁ ଯାଇଥିଲେ। ସୁରତରୁ ଟ୍ରେନ୍ ଯୋଗେ ନିଜ ଭିଟାମାଟିକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ରାଜମହେନ୍ଦ୍ରୀ ନିକଟରେ ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶବକୁ ଜନ୍ମମାଟିକୁ ଆଣିବା ପାଇଁ ପରିବାରବର୍ଗ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।
ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ତାରିଖରେ କଉଡିଆ ଗ୍ରାମର ଜିତେନ୍ଦ୍ର ଦଳେଇ ସୁରତକୁ ଦାଦନ ଖଟିବାକୁ ଯାଇ ହୃଦ୍ଘାତରେ ମୃତ୍ୟୁବରଣ ୨୭ ତାରିଖରେ ଖଲିଙ୍ଗି ଗ୍ରାମର କୃଷ୍ଣ ଦାସ ଓ ୧ ତାରିଖରେ ସାହାସପୁର ଗ୍ରାମର ଏ.କୃଷ୍ଣମୂର୍ତ୍ତି ଦୋରାଙ୍କ ମୃତ୍ୟୁ ହୋଇଥିଲା। କୃଷ୍ଣ ଓ କୃଷ୍ଣମୂ୍ର୍ତ୍ତି ମଧ୍ୟ ଘରକୁ ଆସୁଥିବା ବେଳେ ଟ୍ରେନ୍ରୁ ଖସି ପ୍ରାଣ ହରାଇଥିଲେ।