ପାୱାର ଚ୍ୟାନେଲ୍‌କୁ ଡେଇଁଲେ ପ୍ରେମୀଯୁଗଳ

ସମ୍ବଲପୁର : ବଲାଙ୍ଗୀରରେ ଦୁଇ ଯୋଡ଼ି ପ୍ରେମୀଯୁଗଳଙ୍କ ମୃତଦେହ ମିଳିବା ଘଟଣା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୁରୁବାର ଦିନ ପ୍ରାୟ ସାଢ଼େ ୧୦ଟାରେ ବୁର୍ଲା ପାୱାର ଚ୍ୟାନେଲ୍‌କୁ ବି ଏକ ପ୍ରେମୀଯୁଗଳ ଡେଇଁ ପଡ଼ିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ଏ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଏକ ଟିମ୍‌ ଓ ସ୍କୁବା ଡାଇଭର୍‌ ଟିମ୍‌ ପ୍ରାୟ ୪ ଘଣ୍ଟା ଧରି ଖୋଜାଖୋଜି କରିଛନ୍ତି। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି।

ତେବେ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଥାନାରେ କୌଣସି ରିପୋର୍ଟ ହୋଇନଥିବା ଥାନା ଅଧିକାରୀ ବି.ବି.ଭୋଇ କହିଛନ୍ତି। ନିଖୋଜ ପ୍ରେମୀଯୁଗଳଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବୁର୍ଲା ଏନ୍‌ଏସି ମହାବିଦ୍ୟାଳୟ ନିକଟରେ ସକାଳ ୧୦ଟା ସମୟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ଚାଲି ଚାଲି ନେତାଜୀ ଛକକୁ ଆସିବା ପରେ ପାୱାର ଚ୍ୟାନେଲ୍‌ ବ୍ରିଜ ଉପରୁ ହାତ ଧରାଧରି ହୋଇ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଏହି ସୂଚନା ମିଳିବା ପରେ ହୀରାକୁଦ ଡ୍ୟାମ୍‌ରୁ ପାୱାର ଚ୍ୟାନେଲକୁ ଜଳ ଯୋଗାଣ ବନ୍ଦ କରାଯିବା ସହ ଅଗ୍ନିଶମ ବିଭାଗର ଏକ ଟିମ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଚ୍ୟାନେଲ ମଧ୍ୟରେ ପ୍ରାୟ ୨୦ ଫୁଟରୁ ଅଧିକ ପାଣି ରହିଥିବା ଓ ପ୍ରଖର ସ୍ରୋତ ଥିବାରୁ ଅଧିକ ସମୟ ଧରି ଖୋଜିବା ସମ୍ଭବ ହୋଇନଥିଲା। ଶୁକ୍ରବାର ପୁଣିଥରେ ଉକ୍ତ ଅଞ୍ଚଳରୁ ମହାନଦୀ ସାଇଫନ୍‌ ଯାଏ ଖୋଜାଖୋଜି କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ଏହି ସ୍ଥାନରେ ପାଣିକୁ ଡେଇଁ ୨ ଜଣ ଆତ୍ମହତ୍ୟା କରିଥିଲେ।

୩ ଦିନ ହେଲା ପ୍ରେମୀଯୁଗଳ ନିଖୋଜ
ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ମୁଙ୍ଗାପଡ଼ାର ଜଣେ ଯୁବକ ଓ ଅଇଁଠାପାଲି ଥାନା ବରେଇପାଲିର ଜଣେ ଯୁବତୀ ଗତ ୩ ଦିନ ହେବ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ଯୁବତୀଙ୍କ ପରିବାରବର୍ଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅପରପକ୍ଷେ, ଉଭୟ ଯୁବକ ଯୁବତୀଙ୍କ ‌ମୋବାଇଲ ମଧ୍ୟ ବୁଧବାରଠାରୁ ବନ୍ଦ ଥିବା ଜଣାପଡ଼ିଛି। ମୁଙ୍ଗାପଡ଼ାର ଉକ୍ତ ଯୁବକଜଣଙ୍କ ବିବାହିତ ହୋଇଥିବା ସତ୍ତ୍ବେ ବରେଇପାଲିର ଯୁବତୀଙ୍କୁ ପ୍ରେମ କରୁଥିବାରୁ ଉଭୟ ପରିବାର ଏହାକୁ ବିରୋଧ କରୁଥିଲେ। ଏହି ପ୍ରେମୀଯୁଗଳଙ୍କ ଖୋଜଖବର ମିଳିନଥିବା ବେଳେ ପାୱାର ଚାନେଲ୍‌କୁ ଡେଇଁଥିବା ଯୁବକ ଯୁବତୀଙ୍କ ପରିଚୟ ନେଇ କଳ୍ପନାଜଳ୍ପନା ଜାରି ରହିଛି।

ସମ୍ବନ୍ଧିତ ଖବର