କାନ୍ଥ ପଡ଼ି ଶିଶୁ ମୃତ,୩ ଆହତ

କାଲିମେଳା : ବାତ୍ୟା ପ୍ରଭାବରେ କାଲିମେଳାରେ ପ୍ରବଳ ବର୍ଷା ହୋଇ ଅନେକ ଘରଦ୍ୱାର ଭାଙ୍ଗିଯାଇଛି। ଏପରିକି କାନ୍ଥ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଞ୍ଚାୟତର ଶିଶୁଗୁଡ଼ା ଗ୍ରାମର କୁଶ ଖିଲଙ୍କ ୫ବର୍ଷର ଶିଶୁ ରାହୁଲ ଖିଲ ଉପରେ ଘର କାନ୍ଥ ପଡ଼ିଯିବାରୁ ସେ ଗୁରୁତର ଆହାତ ହୋଇଥିଲା। ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଏଥିରେ ଅନ୍ୟମାନେ ବର୍ତ୍ତିଯାଇଥିଲେ। ବର୍ଷା ଜାରି ରହିଥିବାରୁ ସେମାନେ ସକାଳେ କାଲିମେଳା ମେଡ଼ିକାଲକୁ ଆହତ ଶିଶୁକୁ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାରିଆଡ଼େ ପାଣି ଭର୍ତ୍ତି ହୋଇଯାଇଥିବାରୁ କାଲିମେଳା ମେଡ଼ିକାଲକୁ ଆଣିପାରିନଥିଲେ। ତେଣୁ ପାଣି ଛାଡ଼ିବାକୁ ଅପେକ୍ଷା କରିଥିଲେ ମଧ୍ୟ ଠିକ୍‌ ସମୟରେ ମେଡ଼ିକାଲରେ ପହଁଞ୍ଚି ପାରିନଥିବାରୁ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକ କହିଛନ୍ତି। ସେହିପରି କାଲିମେଳା ତେଲୁଗୁ ସାହିରେ ଘର କରି ରହିଥିବା ସି.ଏଚ ଗଣେଶଙ୍କ ଘର ଉପରେ ଗଛ ଡାଳ ପଡ଼ିଯିବାରୁ ର ୩ବଖରା ଘର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ଘରେ ରାତିରେ ଶୋଇଥିବା ଅବସ୍ଥାରେ ଡାଳଟି ପଡ଼ିଥିବାରୁ ଗଣେଶଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଏଥିସହ ତାଙ୍କ ପତ୍ନୀ ସିଏଚ ଈଶ୍ୱରୀ ଓ ୪ବର୍ଷର ଝିଅ ପ୍ରଣିତା ମଧ୍ୟ ଅହାତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲ ନିଆଯାଇ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର