ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍’ ଯୋଜନାରେ କରୋନା ମହାମାରୀ କାରଣରୁ ନିଜର ପିତାମାତା ବା ଆଇନ୍ଗତ ଅଭିଭାବକଙ୍କୁ ହରାଇଥିବା ଦେଶର ବହୁ ନିସହାୟ ଶିଶୁ ଉପକୃତ ହେବେ। ଏଥିରେ ସମ୍ବଲପୁର ଜିଲ୍ଲାର ଜଣେ ଏଭଳି ଶିଶୁଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ମିଳିବାକୁ ଯାଉଛି। ସୋମବାର ଆୟୋଜିତ ଭର୍ଚୁଆଲ୍ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାରେ ଯୋଡ଼ି ହୋଇଥିବା ଦେଶର ବିଭିନ୍ନ ଅଞ୍ଚଳର ଶିଶୁ ଓ ଅଭିଭାବକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଓ ଦୁଃଖଦାୟକ ହୋଇଥାଏ।
ସେମାନଙ୍କର ଉପଯୁକ୍ତ ଥଇଥାନ, ସେହ୍ନ, ଆଦର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଅଭିଭାବକ, ସରକାରୀ କର୍ମକର୍ତ୍ତା ଓ ସେର୍ବାପରି ସରକାର ସମ୍ବେଦନଶୀଳ ହେବା ଆବଶ୍ୟକ। ଏହି ଯୋଜନାରେ ଶିଶୁ ମାନଙ୍କ ପ୍ରତିପୋଷଣ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୪ ହଜାର ଟଙ୍କା, ଶିକ୍ଷା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଡ, ଉଚ୍ଚ ଶିକ୍ଷା ବା ଧନ୍ଦାମୂଳକ ଶିକ୍ଷା ପାଇଁ ଋଣ ସହାୟତା ଆଦି ଯୋଗାଇ ଦିଆଯିବ। ଶିଶୁକୁ ୧୮ ବର୍ଷ ହେବା ପରେ ତା’ର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ଚିକିତ୍ସା ନିମନ୍ତେ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ। ସୋମବାର ପ୍ରଧାମମନ୍ତ୍ରୀ ଶିଶୁ ମାନଙ୍କୁ ଏହି ଯୋଜନାରେ ଏକ ଜମା ଖାତା ଓ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହେଲଥ କାର୍ଡ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡାକ ଅଧୀକ୍ଷକ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମ୍ବଲପୁର ସହର ଉପକଣ୍ଠ ବିଶାଲଖିଣ୍ଡାର ଉକ୍ତ ଶିଶୁଙ୍କ ଅଭିଭାବକଙ୍କୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହା ପ୍ରଦାନ କରିଥିଲେ।