ନୂଆପଡ଼ାକୁ ଛୁଇଁଲା କରୋନା: ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାକୁ ଛୁଇଁଲା କରୋନା।  ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସାନମହେଶ୍ଵର ଗ୍ରାମପଞ୍ଚାୟତର ଝୋଳପଦର ଗ୍ରାମରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିଛି। ଏହା ନୂଆପଡ଼ା ଜିଲ୍ଲାର ପ୍ରଥମ ଘଟଣା। ଆଜି ଏ .ନେଇ ସୂଚନା .ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆକ୍ରାନ୍ତ ଶ୍ରମିକ ଜଣକ ମୁମ୍ବାଇ ଫେରନ୍ତା ବୋଲି ଜଣାପଡ଼ିଥିବା ବେଳେ ଗତକାଲି ସନମାହେଶ୍ଵର ଗ୍ରାମପଞ୍ଚାୟତକୁ କଣ୍ଟାନମେଣ୍ଟ ଜୋନ ଘୋଷଣା କରିଥିଲା ସ୍ଥାନୀୟ ପ୍ରଶାସନ। ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ନୂଆପଡ଼ାର କୋଭିଡ ହସ୍ପିଟାଲକୁ ଆଣି ଯାଇ ଚିକିତ୍ସା ଆରମ୍ଭ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀ ଚରଣ ବେହେରା  ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଆକ୍ରାନ୍ତ ଶ୍ରମିକଜଣକ ସାନମହେଶ୍ଵର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ବାରେଣ୍ଟାଇନରେ ରହୁଥିଲେ।

ରାଜ୍ୟକୁ  ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଫେରିବା ଫଳରେ ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଏଯାବତ୍ ନୂଆପଡ଼ା ଜିଲ୍ଲାରେ କେହି ଚିହ୍ନଟ ହୋଇ ନଥିଲେ। ଆଜି ନୂଆପଡ଼ାରେ ଜଣେ ପ୍ରବାସୀ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ରାଜ୍ୟର କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି।

ସମ୍ବନ୍ଧିତ ଖବର